ବାଇକ୍ ଧକ୍କାରେ ଜଣେ ମୃତ, ୩ ଗୁରୁତର  

ଦେବଗଡ଼: ଦେବଗଡ଼ ଥାନା ତିଲେଇବଣି ବ୍ଲକ ଅନ୍ତର୍ଗତ ନୂଆଁଭୂଇଁ ଗ୍ରାମ ନିକଟରେ ବାଇକ ଧକ୍କାରେ ଟାଇଁସର ଗାଁର ଲଳିତ ପ୍ରଧାନ (୫୮)ଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ବାଇକ ଅରୋହୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଟିକିଲିପଡା ଗ୍ରାମର କ୍ଷମାସାଗର ତାଣ୍ଡିଆ, କେଶବ ପ୍ରଧାନ ଏବଂ ରମେଶ ପ୍ରଧାନ ଶୁକ୍ରବାର ଦେବଗଡ଼ ଜିଲ୍ଲା କଣ୍ଢଳ ଗ୍ରାମରେ ଚାଲିଥିବା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ମ୍ୟାଚ୍‌ ଖେଳିବା ପାଇଁ ଆସିଥିଲେ। ମ୍ୟାଚ ସରିବା ପରେ ସଂଧ୍ୟାରେ ଏହି ୩ଜଣ ଯୁବକ ଏକ ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ୪୯ନଂ ଜାତୀୟ ରାଜପଥର ତିଲେଇବଣି ବ୍ଲକ ଅନ୍ତର୍ଗତ ନୂଆଁଭୂଇଁ ଗ୍ରାମ ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥିବା ଟାଇଁସର ଗ୍ରାମର ଲଲିତ ପ୍ରଧାନଙ୍କୁ ଧକ୍କା ଦେଇଥିଲେ। ଏଥିରେ ଲଳିତ ଓ ଏହି ୩ଜଣ ଯୁବକ ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଲଳିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କ୍ଷମାସାଗରଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଦେବଗଡ଼ ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର