ଆମେରିକା ନିର୍ବାଚନରେ ବି ଚୀନ୍‌ର ହସ୍ତକ୍ଷେପ

ୱାସିଂଟନ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଚୀନ୍‌ ଉଦ୍ୟମ କରୁଥିବାର ପ୍ରମାଣ ଆମେରିକା ପାଖରେ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ୍ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଦେଶର ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ ବାର୍ତ୍ତା ଦେବା ପରେ ବ୍ଲିଙ୍କେନ୍ ଏହା କହିଛନ୍ତି। ତିନିଦିନିଆ ଚୀନ୍ ଗସ୍ତ ଶେଷରେ ବ୍ଲିଙ୍କେନ୍ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଗସ୍ତ ସମୟରେ ଶୀର୍ଷ ଆମେରିକୀୟ କୂଟନୀତିଜ୍ଞ ବ୍ଲିଙ୍କେନ୍‌ ଜିନ୍‌ପିଙ୍ଗଙ୍କ ସମେତ ଚୀନ୍‌ର ଶୀର୍ଷ ଅଧିକାରୀଙ୍କ ସହ ଘଣ୍ଟା ଘଣ୍ଟା ଧରି ଆଲୋଚନା କରିଥିଲେ।

ବ୍ଲିଙ୍କେନ୍ କହିଛନ୍ତି, ଆମ ନିର୍ବାଚନରେ ଚୀନ୍‌ର କୌଣସି ପ୍ରକାର ହସ୍ତକ୍ଷେପକୁ ଆମେ ବହୁତ ସତର୍କତାର ସହ ଦେଖୁଛୁ ଏବଂ ଏହା ଆମ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଚୀନ୍ ଏଥିରୁ ବିରତ ରହିବା ଆବଶ୍ୟକ। ଚୀନ୍ ଓ ଅନ୍ୟ ଦେଶମାନେ ଆମେରିକାରେ ବିଦ୍ୟମାନ ସାମାଜିକ ବିଭାଜନକୁ ନେଇ ଖେଳୁଥିବାରୁ ଚିନ୍ତା ପ୍ରକାଶ ପାଇଛି। ତେବେ ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରୁନାହିଁ ବୋଲି ବେଜିଂ ବାରମ୍ବାର କହିଆସୁଛି। ସେପଟେ କାନାଡା ଭଳି ଅନ୍ୟାନ୍ୟ ଦେଶରେ ମଧ୍ୟ ଚୀନ୍ ରାଜନୈତିକ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ଆମେରିକାରେ ପାଲେଷ୍ଟାଇନ ସପକ୍ଷରେ ଚାଲିଥିବା ବିକ୍ଷୋଭ ସମ୍ପର୍କରେ ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ, ପ୍ରତିବାଦ କରିବା ନିରାପତ୍ତା ବିରୋଧୀ ନୁହେଁ, ଏହା ଲୋକଙ୍କ ଅଧିକାର।

ସମ୍ବନ୍ଧିତ ଖବର