ପିତାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଘରକୁ ଆଣିଥିଲି: ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ଇସ୍ତାହାରରେ ଦେଶର ନାଗରିକଙ୍କ ସମ୍ପତ୍ତି ପୁନଃବଣ୍ଟନ ପ୍ରତିଶ୍ରୁତିକୁ ନେଇ ଏବେ ନିର୍ବାଚନୀ ରାଜନୀତି ସରଗରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଲିରେ ଏଭଳି ପ୍ରତିଶ୍ରୁତି ପାଇଁ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଲାଗାତାର ଟାର୍ଗେଟ କରୁଥିବା ବେଳେ ଆଜି କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଅନେକ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଥିବା ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଖଣ୍ଡ ବିଖଣ୍ଡିତ ଶବକୁ ଘରକୁ ଆଣିଛନ୍ତି। ‘ମୋ ଜେଜେମା’ ଇନ୍ଦିରା ଗାନ୍ଧୀ ଏବଂ ପିତା ରାଜୀବ ଦେଶ ପାଇଁ ତାଙ୍କ ଜୀବନକୁ ବଳି ଦେଇଛନ୍ତି।

କଂଗ୍ରେସର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଶରେ ଆର୍ଥିକ ବିପ୍ଳବ ଆଣିଥିବା ବେଳେ ଏନ୍‌ଡିଏ ସରକାର କେବଳ ବିଭ୍ରାନ୍ତି ସୃଷ୍ଟି କରି କ୍ଷମତାକୁ ଆସିବାକୁ ଚାହୁଛି ଏବଂ ସେମାନେ ସମ୍ବିଧାନ ବଦଳାଇବାକୁ ଚାହୁଛନ୍ତି’ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନ ସମୟରେ ବିଭିନ୍ନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ତା’ର ଇସ୍ତାହାରରେ ଯେଉଁ ‘ସମ୍ପତ୍ତି ପୁନଃବଣ୍ଟନ’ ପ୍ରତିଶ୍ରୁତି ଦେଇଛି ତାହା ପଛରେ ସେମାନଙ୍କ ହିନ୍ଦୁ ବିରୋଧୀ ମାନସିକତା ରହିଛି। ହିନ୍ଦୁ ବିବାହିତ ମହିଳାମାନେ ପିନ୍ଧିଥିବା ଅଳଙ୍କାର ଏବଂ ମଙ୍ଗଳସୂତ୍ରକୁ ମଧ୍ୟ କଂଗ୍ରେସ ଦଳ ଛାଡ଼ିବ ନାହିଁ । ଲୋକଙ୍କ ସୁନା ଜବତ କରି ଏହାକୁ ଅନୁପ୍ରବେଶକାରୀ ଏବଂ ଅଧିକ ସନ୍ତାନ ଜନ୍ମ କରୁଥିବା ଲୋକଙ୍କୁ କଂଗ୍ରେସ ବାଣ୍ଟିବାକୁ ଯୋଜନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର