ତାମିଲନାଡ଼ୁରେ ସାମୁଦ୍ରିକ ବାତ୍ୟା ବୁରେଭିର ତାଣ୍ଡବ, ଆଜି ମଧ୍ୟରାତ୍ରି ପରେ ସ୍ଥଳଭାଗ ଛୁଇଁବ

ନୂଆଦିଲ୍ଲୀ : ଭାରତର ଦକ୍ଷିଣରେ ଥିବା ମନ୍ନାର  ଉପସାଗରରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ବାତ୍ୟା ବୁରେଭି ଆଉ କିଛି ଘଣ୍ଟା ପରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ଗତ କିଛି ଘଣ୍ଟା ଧରି ଘଣ୍ଟାକୁ ୧୬ କିଲୋମିଟର ବେଗରେ ଗତି କରୁଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବାତ୍ୟା ଆଜି ରାତି କିମ୍ବା ଆସନ୍ତା କାଲି ସକାଳ ସୁଦ୍ଧା ତାମିଲନାଡ଼ୁର ପମ୍ବନ ଓ କନ୍ୟାକୁମାରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ସ୍ଥଳବିଶେଷରେ ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟରକୁ ବୃଦ୍ଧି ପାଇବ । ଏହାର ପ୍ରଭାବରେ ତାମିଲନାଡ଼ୁର ସମସ୍ତ ଜିଲ୍ଲା, କେରଳ ଓ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଜାରି ରହିଛି । କେତେକ ସ୍ଥାନରେ ପବନର ବେଗ ବୃଦ୍ଧି ପାଇଛି । ବିଶେଷକରି ଦକ୍ଷିଣ ତାମିଲନାଡ଼ୁ ଓ ଦକ୍ଷିଣ କେରଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ଓ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟ ପକ୍ଷରେ ଆଜି ଅଶାନ୍ତ ସମୁଦ୍ର ମଧ୍ୟରେ ଫସିରହିଥିବା ୩ ଜଣ ମତ୍ସ୍ୟଜୀବୀଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ତାମିଲନାଡ଼ୁ ଉପକୂଳରେ ଥିବା ମନାଲି ଟିଭୁ ଦ୍ବୀପରେ ଏହି ମତ୍ସ୍ୟଜୀବୀମାନେ ଫସିରହିଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ରାମନାଥପୁରମ ଜିଲ୍ଲାପାଳ କୋଷ୍ଟ ଗାର୍ଡକୁ ଅନୁରୋଧ କରିବା ପରେ ଏହି ଉଦ୍ଧାରକାର୍ଯ୍ୟ କରାଯାଇଥିଲା ।

ସମ୍ବନ୍ଧିତ ଖବର