‘ମସିନ୍‌ ୧୨୫ ଆସନ ସଫଳ ହେବ’: ଗୁଜରାଟ ନିର୍ବାଚନ ଇସ୍ତାହାର ପ୍ରକାଶ କଲା କଂଗ୍ରେସ

ଅହମଦାବାଦ: ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ‘ନିର୍ବାଚନୀ ଇସ୍ତାହାର’ ଉନ୍ମୋଚନ କରିଛନ୍ତି। ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଚାଲିଥିବା ନିର୍ବିଚାର ଘରୋଇକରଣକୁ କଂଗ୍ରେସ ବନ୍ଦ କରିବ ବୋଲି ଉକ୍ତ ଇସ୍ତାହାରରେ ଉଲ୍ଲେଖ ଅଛି।

‘ଜନ ଘୋଷଣା ପତ୍ର’ ଶୀର୍ଷକ ଏହି ନିର୍ବାଚନୀ ଇସ୍ତାହାରର କେନ୍ଦ୍ରରେ ରହିଛି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ୮ଟି ପ୍ରତିଶ୍ରୁତି।

କଂଗ୍ରେସର ଅଫିସିଆଲ୍‌ ଟୁଇଟର୍‌ ପେଜ୍‌ ପୋଷ୍ଟ୍‌ କରିଛି, ଗୁଜରାଟବାସୀ ଶିକ୍ଷା ଓ ସ୍ବାସ୍ଥ୍ୟସେବାର ନିର୍ବିଚାର ଘରୋଇକରଣ କରାଇ ଦେବେନାହିଁ। ଚାଲନ୍ତୁ ସମସ୍ତେ ମିଳିମିଶି ପରିବର୍ତ୍ତନର ଅୟମାରମ୍ଭ କରିବା।

କୃଷକମାନଙ୍କୁ ଋଣ ଛାଡ଼ କରିବା, ୫୦୦ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର୍‌ ଯୋଗାଇ ଦେବା ଏବଂ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ କଂଗ୍ରେସ ଏହି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି।

ଇସ୍ତାହାରରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ମର୍ଯ୍ୟାଦାର ସହିତ ଜୀବନଯାପନ ନିମନ୍ତେ ଗୁଜରାଟର ଯୁବାଙ୍କୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ଖାଲିପଡ଼ିଥିବା ୧୦ ଲକ୍ଷ ସରକାରୀ ଚାକିରି ପୂରଣ କରିବ।

‘ଜନତା ମେଡିକାଲ୍‌ ଷ୍ଟୋର୍‌’ ଶୃଙ୍ଖଳ ଖୋଲିବା ସହିତ କଂଗ୍ରେସ ବାର୍ଦ୍ଧକ୍ୟ ଭତ୍ତା ଲାଗୁ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି। ଏହାଛଡ଼ା, କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ଆତ୍ମୀୟମାନଙ୍କୁ ହରାଇଥିବା ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରି ଦେବା କଥା ମଧ୍ୟ କଂଗ୍ରେସ ଉକ୍ତ ଇସ୍ତାହାରରେ ଉଲ୍ଲେଖ କରିଛି।

Image Courtesy of NDTV

ଦଳର ଇସ୍ତାହାର ଉନ୍ମୋଚିତ ହେବା ପରେ ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୋର୍‌ କହିଛନ୍ତି ଯେ, ୧୨୫ରୁ ଅଧିକ ଆସନରେ ବିଜୟୀ ହୋଇ ସେମାନେ ଗୁଜରାଟରେ ସରକାର ଗଠନ କରିବେ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହ୍‌ଲଟ୍‌ କହିଛନ୍ତି, ଇସ୍ତାହାର ହେଉଛି ଯେକୌଣସି ଦଳର ନିର୍ବାଚନ ପ୍ରତିଶ୍ରୁତି। ରାଜନୈତିକ ଦଳ ଏବଂ ଜନସାଧାରଣ ମଧ୍ୟ ନିର୍ବାଚନ ପରେ ଇସ୍ତାହାର ପ୍ରତିଶ୍ରୁତିକୁ ଭୁଲି ଯାଆନ୍ତି। କିନ୍ତୁ, ଆମେ ଏହି ଇସ୍ତାହାର ଉପରେ ଗୁରୁତ୍ବ ଦେଉଛୁ।

ସମ୍ବନ୍ଧିତ ଖବର