ମୃତ ବାପାଙ୍କୁ ବଞ୍ଚାଇବାକୁ ନବଜାତକକୁ ବଳି ଦେବା ପାଇଁ ଅପହରଣ କରିଥିଲେ ମହିଳା

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ନିଜ ବାପାଙ୍କୁ ବଞ୍ଚାଇବା ପାଇଁ ଜଣେ ନବଜାତକକୁ ବଳି ଦେବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଛନ୍ତି। ମହିଳା ଜଣକ ୨ ମାସର ଏକ ନବଜାତକୁ ଅପହରଣ କରି ନେଇଥିବା ବେଳେ ଏକ ଅପହରଣ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ‌ବହୁ ଖୋଜାଖୋଜି କରିବା ପରେ ୨୪ ଘଣ୍ଟା ପରେ କୋଟ୍‌ଲା ମୁବାରକପୁରରୁ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ପୁଲିସ୍‌ରେ ଜଣାଇଛନ୍ତି ଯେ ନବଜାତକର ବଳି ଦେଇ ସେ ନିଜ ମୃତ ବାପାଙ୍କୁ ବଞ୍ଚାଇବାକୁ ଚାହୁଁଥିଲେ। ସେହି କାରଣରୁ ସେ ନବଜାତକକୁ ଅପହରଣ କରି ନେଇଥିଲେ। ମହିଳା ଜଣକ ଅନ୍ଧବିଶ୍ବାସର ଶିକାର ହୋଇ ଏପରି ଜଘନ୍ୟ କାଣ୍ଡ ଘଟାଇବାକୁ ଚାହୁଁଥିଲେ।

ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି ଈଶା ପାଣ୍ଡେ କହିଛନ୍ତି ଯେ ନଭେମ୍ବର ୧୦ ତାରିଖରେ ଅପରାହ୍ନ ପ୍ରାୟ ୪ଟା ସମୟରେ ନବଜାତକ ନିଖୋଜ ଥିବା କଥା ରିପୋର୍ଟ ହୋଇଥିଲା। ତାପରେ ପୁଲିସ୍‌ ଟିମ୍‌ ଖୋଜାଖୋଜି କରି ୨ ମାସର ଶିଶୁଟିକୁ ଉଦ୍ଧ‌ାର କରିବାରେ ସମର୍ଥ ହୋଇଛି।

ଶିଶୁଟିକୁ ମହିଳା ଜଣକ ଅପହରଣ କରି ନେଉଥିବା ବେ‌ଳେ ସେ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ପୁଲିସ୍‌ ସିସିଟିଭି ସାହାଯ୍ୟରେ ହିଁ ନବଜାତକ ସହ ମହିଳାଙ୍କୁ ଧରିବାରେ ସମର୍ଥ ହୋଇଛି। ନବଜାତକକୁ ଉଦ୍ଧାର କରିବା ପରେ ପୁଲିସ୍‌ ଶିଶୁଟିର ମାଆଙ୍କୁ ଶିଶୁଟିକୁ ହସ୍ତାନ୍ତର କରାଇଛି।

ସମ୍ବନ୍ଧିତ ଖବର