କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନୟନରେ ବିଜେଡି ବାଧକ ସାଜିଛି: ବିଜେପି

ଜୟପୁର: କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ବାଧକ ଶାସକ ବିଜେଡି। ଏଠାରେ ବସବାସ କରୁଥିବା ଲୋକେ ଉପଯୁକ୍ତ ଶିକ୍ଷା, ସ୍ବାସ୍ଥ୍ୟସେବା, ଗମନାଗମନରୁ ବଂଚିତ। ବ୍ୟବସାୟୀମାନେ ଭଲ ବ୍ୟବସାୟ କରି ଲାଭାନ୍ବୀତ ହୋଇପାରୁନାହାନ୍ତି। ଖଣି, ପାଣି  ସବୁ ପ୍ରାଚୁର୍ଯ୍ୟରେ ଭରା କୋରାପୁଟ ଜିଲ୍ଲା ପଛେଇବାର ପ୍ରମୁଖ କାରଣ ହେଉଛି ରାଜ୍ୟ ଶାସକ ବିଜେଡି ସରକାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଓ ନବରଙ୍ଗପୁର ସାଂସଦୀୟ କ୍ଷେତ୍ରରେ ମିଡିଆ ସଂଯୋଜକ ପତଂଜଳୀ କରଶର୍ମା ଅଭିଯୋଗ କରିଛନ୍ତି। ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଯୋଜନାକୁ ରାଜ୍ୟସରକାର ହାଇଜାକ୍ କରି ନିଜ ନାଁରେ କାର୍ଯ୍ୟନ୍ବୟନ କରାଉଛି।

ଶିକ୍ଷାର ବିକାଶ ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ ସହ ବିକଶିତ ଭାରତ ଗଠନ ପାଇଁ ବହୁ ‌ଯୋଜନା ପ୍ରଧାନମନ୍ତ୍ରୀ କରିଛନ୍ତି। ଜିଲ୍ଲାର ଗମନାଗମନ ବିକାଶ ପାଇଁ ଉଡ଼ାନ ଯୋଜନା‌ରେ ଜୟପୁରରୁ ବିମାନ ଉଡ଼ୁଛି। ସେଭଳି ରେଳସେବା ଉତ୍କୃଷ୍ଟ ମାନର ଯୋଗାଇବା ପାଇଁ ଜୟପୁର, ଦାମନଯୋଡି ଓ କୋରାପୁଟ ଷ୍ଟେସନକୁ ଅମୃତ ଭାରତ ଯୋଜନାରେ ସାମିଲ କରାଯାଇଛି। ଭାରତମାଳା ଗ୍ରୀନକରିଡ଼ର ପ୍ରକଳ୍ପରେ ରାୟପୁର ବିଶାଖାପାଟଣାକୁ ସାମିଲ କରି କୋରାପୁଟ ଜିଲ୍ଲା ଦେଇ ଏହି ରାସ୍ତା ଯାଉଛି। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହ ଚାଷୀଙ୍କ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହ ବହୁ ଯୋଜନା ପ୍ରଣୟନ କରିଛି। ତଥାଫି ରାଜ୍ୟସରକାର ଏସବୁ କାର୍ଯ୍ୟକାରୀ କରୁନାହାନ୍ତି।

ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳପଥ ପାଇଁ କେନ୍ଦ୍ର ସରକାର ୨୦୧୭ମସିହାରୁ ସବୁ ବଜେଟରେ ଅନୁଦାନ ଦେଇ ଆସୁଥିବାବେଳେ ରାଜ୍ୟସରକାର ଜମି ଅଧିଗ୍ରହଣ କରି ଦେଇ ପାରୁନାହାନ୍ତି। ଅପରପକ୍ଷରେ ସ୍ବଳ୍ପ ଦିନ ମଧ୍ୟରେ ଭାରତମାଳା ପ୍ରକଳ୍ପ ରାସ୍ତା ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଥିଲେ କରଶର୍ମା। ଏହି ଅବସରରେ ୨୫ବର୍ଷର ପାପର ପେଡ଼ି ଓମୋଦିଙ୍କ ଗ୍ୟାରେଣ୍ଟି କାର୍ଡ଼କୁ ଲୋକାର୍ପିତ କରାଯାଇଥିଲା। ବିଜେପି ନେଇଥିବା ସଂକଳ୍ପପତ୍ରକୁ ‌ଲୋକାର୍ପିତ କରିବା ସହ ଏହା ଇସ୍ତାହାର ନୁହେଁ ଏଥିରେ ଦିଆଯାଇଥିବା ପ୍ରସ୍ତାବ ଗୁଡିକୁ ଏଥର ଜିତିଲେ ବିଜେପି କାର୍ଯ୍ୟକାରୀ କରି ଦେଖାଇବା ଗ୍ୟାରେଣ୍ଟି ପତ୍ର ବୋଲି ଶ୍ରୀକରଶର୍ମା କହିଥିଲେ। ଜୟପୁର ନିର୍ବାଚନମଣ୍ଡଳୀରେ ଗତ ୨୪ବର୍ଷ ମଧ୍ୟରେ ବ୍ୟାପକ ଦୁର୍ନିତୀ, ଅରାଜକାତା, ସରକାରୀ ଅର୍ଥ ହରିଲୁଟ୍‌ ହେବା ସହ ଗୋଟିଏ ବି ବଡ ଶିଳ୍ପ ପ୍ରତିଷ୍ଟା ହୋଇପାରିନି ବୋଲି ଜୟପୁର ନିର୍ବାଚନମଣ୍ଡଳୀ ମିଡିଆ ସଂଯୋଜକ ଶିବାଜୀ ପଟ୍ଟନାୟକ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ମିଡିଆ ସଂଯୋଜକ ସମ୍ବିତ ମହାପାତ୍ର, କୋରାପୁଟ ଜିଲ୍ଲା ମିଡିଆ ସଂଯୋଜକ ମୀନ ଦାଶ, ଏ.ଦୁର୍ଗାପ୍ରସାଦ, କାହ୍ନୁ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର