ଟେକ୍ସାସରେ ୪ ପଣବନ୍ଦୀଙ୍କୁ ମୁକ୍ତକଲା ଏଫବିଆଇ

ୱାସିଂଟନ : ଆମେରିକାର ଟେକ୍ସାସ ପ୍ରଦେଶରେ ଇହୁଦିମାନଙ୍କ ପ୍ରାର୍ଥନାଗୃହରେ ଅଟକ ଥିବା ୪ ଜଣ ପଣବନ୍ଦୀଙ୍କୁ ଏଫବିଆଇର ଉଦ୍ଧାରକାରୀ ଦଳ ନିରାପଦରେ ମୁକ୍ତ କରିଛନ୍ତି। ବନ୍ଧୁକଧାରୀ ସହିତ ୧୦ ଘଣ୍ଟାରୁ ଅଧିକ ସମୟ ମୁହାଁମୁହିଁ ସ୍ଥିତିରେ ରହିବା ପରେ ଏଫବିଆଇର ଅଧିକାରୀମାନେ ଏହି ସଫଳତା ପାଇଛନ୍ତି।

ପ୍ରଥମେ ଜଣେ ପଣବନ୍ଦୀକୁ ମୁକାଳିବା ପରେ ଏଫବିଆଇର ଉଦ୍ଧାରକାରୀ ଦଳମାନେ ଉକ୍ତ ପ୍ରାର୍ଥନାଗୃହ ମଧ୍ୟକୁ ଶନିବାର ସଂଧ୍ୟାରେ ପଶିଥିଲେ। ଟେକ୍ସାସ ରାଜ୍ୟପାଳ ଗ୍ରେଗ ଆବଟ୍‌ ପଣବନ୍ଦୀଙ୍କ ମୁକ୍ତି ସଂପର୍କରେ ଘୋଷଣା କରିବାର କିଛି ସମୟ ପୂର୍ବରୁ ଘଟଣାସ୍ଥଳରେ ବିସ୍ଫୋରଣ ଏବଂ ଗୁଳିମାଡ଼ ଶବ୍ଦ ଶୁଣାଯାଇଥିଲା। କଲ୍ଲିଭିଲେ ପୁଲିସ ମୁଖ୍ୟ ମାଇକେଲ ମିଲର ବନ୍ଧୁକଧାରୀର ମୃତ୍ୟୁ ହୋଇଥିବା କହିଥିଲେ ମଧ୍ୟ କର୍ତ୍ତୃପକ୍ଷ ବନ୍ଧୁକଧାରୀ କିଭଳି ମଲା ତାହା ସ୍ପଷ୍ଟ କରିନାହିଁ। ବନ୍ଧୁକଧାରୀର ପରିଚୟ ଏଫବିଆଇ ପାଇଥିବା ଦାବି କରିଥିଲେ ମଧ୍ୟ ତାହାର ସୂଚନା ଦେଇନାହିଁ।

ତେବେ ୪ ଜଣଙ୍କୁ ପଣବନ୍ଦୀ ରଖିଥିବା ବନ୍ଧୁକଧାରୀ ବ୍ୟକ୍ତି ଜଣକ ପାକିସ୍ତାନର ସ୍ନାୟୁବିଜ୍ଞାନୀ ଆଫିଆ ସିଦ୍ଦିକ୍‌ର ମୁକ୍ତି ଦାବି କରି ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକାର ସାମରିକ ଅଧିକାରୀଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗରେ ୨୦୧୦ ମସିହାରେ ଆଫିଆଙ୍କୁ ୮୬ ବର୍ଷ ଜେଲଦଣ୍ଡ ମିଳିଥିଲା। ସେ ଏବେ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର