ଚିନ୍ତା ବଢ଼ାଇଲା ଅଦିନିଆ ବର୍ଷା: ପରିବା ଚାଷୀ ମୁଣ୍ଡରେ ଚଡ଼କ, କୋବିକୁ ବିନ୍ଧିଲେଣି ପୋକ

ବାଲିଅନ୍ତା: ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷା ବାଲିଅନ୍ତା ଚାଷୀଙ୍କୁ ବିଚଳିତ କରିଦେଇଛି। ଝିପିଝିପି ବର୍ଷା ଲାଗି ରହିବା ଯୋଗୁଁ ବିଭିନ୍ନ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ବ‌ର୍ଷା ଓ କୋହଲା ପାଗ ଯୋଗୁଁ ପୋକଙ୍କ ଉପଦ୍ରବ ବୃଦ୍ଧି ପାଇଛି। ବିଶେଷକରି ଫୁଲକୋବି ଓ ପତ୍ରକୋବିରେ ଫିମ୍ପି ଜାତୀୟ ରୋଗ, ପୋକ ଦେଖାଦେବାର ସମ୍ଭାବନା ରହିଛି। ସେହିପରି ଜୀବାଣୁ ସଂକ୍ରମଣର ମଧ୍ୟ ଭୟ ରହିଛି। ବାଇଗଣ ଫସଲରେ ମଧ୍ୟ ପୋକ ଲାଗିଥିବାରୁ ନଷ୍ଟ ହେବାର ଯଥେ‌ଷ୍ଟ ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ବିଲରେ ପାଣି ଜମିବା ଫଳରେ କୋଶଳା, ପାଳଙ୍ଗ, ଧନିଆ ଓ ବିନ୍‌ ଆଦି ଫସଲ ପଚି ଯାଇଛି। ଫଳରେ ପନିପରିବା ଫସଲରୁ ଭଲ ଦି’ ପଇସା ଲାଭ ପାଇବା ପାଇଁ ଆଶା ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଏହା ପୂର୍ବରୁ ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷା ଯୋଗୁଁ କ୍ଷେତରେ ୫୦ ପ୍ରତିଶତ ଧାନଫସଲ ପଚି ସଢ଼ି ନଷ୍ଟ ହୋଇଯାଇଥିଲା। ତେଣୁ ଢିପ ଜମିରେ ପନିପରିବା ଚାଷ କରି ଫସଲ କ୍ଷତି ଭରଣା କରିବା ଲାଗି ଆଶା ବାନ୍ଧିଥିଲା। କିନ୍ତୁ ଏବେ ଏ ଅଦିନିଆ ବର୍ଷା ଚାଷୀକୁ ବିଚଳିତ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରୋଗ, ପୋକ ଦାଉରୁ ପରିବା ଫସଲକୁ ରକ୍ଷା କରିବା ଲାଗି ଭିଙ୍ଗାରପୁରସ୍ଥିତ ଓ ବାଳକାଟିସ୍ଥିତ କୃଷି କାର୍ଯ୍ୟାଳୟ ଏବଂ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ବ୍ଲକ୍‌ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟକୁ ପରାମର୍ଶ ପାଇଁ ଯାଉଛନ୍ତି। ହେଲେ କାର୍ଯ୍ୟାଳୟରେ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ନିରାଶ ହୋଇ ଫେରୁଥିବା ବହୁ ଚାଷୀ କ୍ଷୋଭର ସହ କହିଛନ୍ତି। ଏ ଦିଗରେ ଜିଲ୍ଲାସ୍ତରୀୟ ବରିଷ୍ଠ କୃଷି ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପଦ୍ମିନୀ ବଳଙ୍କ ସୂଚନାନୁସାରେ, ଚଳିତ ବର୍ଷ ମୋଟ ୬୦ ହେକ୍ଟର ଜମିରେ ପନିପରିବା ଫସଲ କରାଯାଇଛି। ଚାଷୀଙ୍କୁ ଏନେଇ ଆବଶ୍ୟକ ଆଳୁ ଓ ପିଆଜ ତଥା ଅନ୍ୟାନ୍ୟ ପରିବା ମଞ୍ଜି ଯୋଗାଇ ଦିଆଯାଇଥିଲା। ଡିସେମ୍ବର ସୁଦ୍ଧା ପୋତା ଯାଇଥିବା ଆଳୁ ଓ ପିଆଜ ଗଛ ବଡ଼ ହୋଇଯାଇଥିବାରୁ ଗଛ କ୍ଷତି ହେବ ନାହିଁ। ହୁଡ଼ା ହାଣି ସିଆର କରିଦେଲେ ଆଳୁ ଭଲ ହବ। କୋବି ଫସଲକୁ ଫିମ୍ପି ରୋଗ ଓ ପୋକ ସଂକ୍ରମଣ ଦାଉରୁ ରକ୍ଷା କରିବା ପାଇଁ କୀଟନାଶକ ଔଷଧ ସ୍ପ୍ରେ’ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ବିଳମ୍ବରେ ଲାଗିଥିବା ଆଳୁ ଓ ପିଆଜ ଗଛ ହୋଇ ନଥିବାରୁ ପାଣି ଜମି ରହିବା ଦ୍ବାରା ତାହା ନଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଆଉ କିଛି ଚାଷୀ କ୍ଷେତ ବେଉଷଣ କରି ବଜାରରୁ ଆଳୁମଞ୍ଜି କିଣି ରଖିଛନ୍ତି। ମାତ୍ର ବିଲରେ ପାଣି ହୋଇଯିବା ପରେ ଆଳୁ ପିଆଜ ଫସଲ ଆଶା ଛାଡ଼ି ଦେଲେଣି।

ସମ୍ବନ୍ଧିତ ଖବର