ବିଲଡର୍ସ ବିରୋଧରେ ଗର୍ଜିଲେ ୨୨ ପରିବାର: ଫ୍ଲାଟ ବିକିଲା, ଜମି ବନ୍ଧା ପକାଇ ଋଣ ବି ନେଲା

ଗଣପତି ହୋମ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ମିଳିବା ନେଇ ଅନିଶ୍ଚିତତା

ଖଣ୍ଡଗିରି: ରାଜଧାନୀରେ ଘର ଖଣ୍ଡେ କରିବାର ସ୍ବପ୍ନ ଦେଖି ବିଲଡର୍ସ ହାତକୁ ଲକ୍ଷାଧିକ ଟଙ୍କା ଟେକି ଦେଇଥିଲେ। ଭାବିଥିଲେ, ଶୀଘ୍ର ଘର ମିଳିଯିବ। କିନ୍ତୁ ବିଲ୍‌ଡର୍‌ ଟଙ୍କା ନେଲା ତ ନେଲା, ଯେଉଁ ଜାଗାରେ ଫ୍ଲାଟ୍‌ କରିବା କଥା, ସେହି ଜମିକୁ ବ୍ୟାଙ୍କରେ ବନ୍ଧା ପକାଇ ୪ କୋଟି ଟଙ୍କା ଋଣ ଉଠାଇଲା। ଏଣେ ଋଣ ଟଙ୍କା ଶୁଝି ନଥିବାରୁ ବ୍ୟାଙ୍କ ଜମି ନିଲାମ କରିବାକୁ ନୋଟିସ୍‌ ଦେଲାଣି। ତେଣୁ ଏପରି ଅବସ୍ଥାରେ ସେମାନଙ୍କୁ କେମିତି ଫ୍ଲାଟ୍‌ ମିଳିବ, ସେଇ ଚିନ୍ତାରେ ୨୨ ପରିବାର ଘାଣ୍ଟି ହେଉଛନ୍ତି। ବିଲଡର୍‌ର ଏହି ଜାଲିଆତି ବିରୋଧରେ ସେମାନେ ଓଡବ୍ଲୁଠାରୁ ଆରମ୍ଭ କରି ସ୍ଥାନୀୟ ଥାନା, ଓରେରାର ଦ୍ବାରସ୍ଥ ହୋଇଥିଲେ ହେଁ କେହି ତାଙ୍କ କଥା ଶୁଣୁନାହାନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଲଡର୍‌ ଦ୍ବାରା ପ୍ରତାରିତ ଏହି ୨୨ ପରିବାର ଏମିତି ନିଜ କ୍ଷୋଭ ପ୍ରକାଶ କରିବା ସହ ଗଣପତି ହୋମ୍‌ ବିଲଡର୍ସ ଉପରେ ବର୍ଷିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଶ୍ୟାମପୁର ମୌଜାରେ ୪୨ ଫ୍ଲାଟ୍‌ ବିଶିଷ୍ଟ ଏକ ଆପାର୍ଟମେଣ୍ଟ ପାଇଁ ୨୦୧୨ ମସିହାରୁ ଲୋକେ ଅଗ୍ରିମ ଆକାରରେ ଲକ୍ଷାଧିକ ଟଙ୍କା ଦେଇଥିଲେ। କିଏ ସମୁଦାୟ ମୂଲ୍ୟର ୮୫ପ୍ରତିଶତ ତ ଆଉ କିଏ ଶତ ପ୍ରତିଶତ ଟଙ୍କା ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ଅନୁସାରେ ୨୦୧୭ ମସିହାରେ ସେମାନଙ୍କୁ ଫ୍ଲାଟ୍‌ ମିଳିନଥିଲା। ବିଲଡର୍ସଙ୍କୁ ଅଭିଯୋଗ ପରେ ୨୦୧୮ ସୁଦ୍ଧା ଫ୍ଲାଟ୍‌ ମିଳିଯିବ ବୋଲି କୁହାଗଲା। କିନ୍ତୁ ଏହା ପରଠାରୁ ଖାଲି ପ୍ରତିଶ୍ରୁତି ମିଳୁଛି କିନ୍ତୁ ଫ୍ଲାଟ୍‌ ମିଳୁନି। ଅପରପକ୍ଷେ ଏହି ଜମିକୁ ବନ୍ଧା ପକାଇ ବିଲଡର୍ସ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, ପଞ୍ଜାବ ନାସନାଲ ବ୍ୟାଙ୍କଠାରୁ ୪ କୋଟି ଟଙ୍କା ଋଣ ନେଇଥିଲେ। ଏଥିଯୋଗୁଁ ବ୍ୟାଙ୍କ ଏହି ଜମିକୁ ନିଲାମ ଦେବା ପାଇଁ ସମ୍ବାଦପତ୍ରରେ ନୋଟିସ୍‌ ଜାରି କରିଛି। ଏଥିଯୋଗୁଁ ଫ୍ଲାଟ୍‌ ପାଇଁ ଟଙ୍କା ଦେଇଥିବା ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ବିଲଡର୍ସ ବିରୋଧରେ ସେମାନେ ଇଓଡବ୍ଲୁ, ଓରେରାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ଲାଭ ହୋଇନାହିଁ। ଏପରିକି କିଛି ଦିନ ପୂର୍ବରୁ ବିଲଡର୍ସ ବିରୋଧରେ ଭରତପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ମାମଲା ରୁଜୁ ହୋଇନଥିବା ଗ୍ରାହକମାନେ କହିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀରେ ବିଲଡର୍ସଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପ୍ରତିଦିନ ବିଭିନ୍ନ ସ୍ଥାନରେ ଫ୍ଲାଟ୍‌ ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଉଛନ୍ତି କିନ୍ତୁ ନିର୍ଧାରିତ ସମୟରେ ଫ୍ଲାଟ ଦେଉ ନଥିବା ନେଇ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ଘରଟିଏ ପାଇଁ ଲୋକେ ବ୍ୟାଙ୍କରୁ ଋଣ କରି ତ ଆଉ କିଏ ଜମା ଟଙ୍କା ଦେଉଛନ୍ତି। ଶେଷ ବେଳକୁ ଫ୍ଲାଟ୍‌ ତ ମିଳୁନି, ଏଣେ ହିତାଧିକାରୀ ସର୍ବସ୍ବାନ୍ତ ହେଉଛନ୍ତି।

ସମ୍ବନ୍ଧିତ ଖବର