ଭୁଲ ଇଂରାଜୀ ଲେଖି ଟୁଇଟ୍‌ରରେ ସୁଷମା ସ୍ୱରାଜଙ୍କୁ ସାହାଯ୍ୟ ମାଗିଲେ ଯୁବକ! ବ୍ୟବହାରକାରୀ ଥଟ୍ଟା କରିବା ପରେ ଏଭଳି ପ୍ରଶଂସନୀୟ ପ୍ରତିକ୍ରିୟା ଦେଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ୍‌ର ଜରିଆରେ ଅନେକ ଭାରତୀୟଙ୍କୁ ସାହାଯ୍ୟ କରିଛନ୍ତି । ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ସେ ଭାରତ ବାହାରେ ଫସି ରହିଥିବା ଭାରତୀୟଙ୍କୁ ଠିକ୍‌ ସମୟରେ ସାହାଯ୍ୟ କରି ଅନେକ ଥର ପ୍ରଶଂସାର ପାତ୍ର ହୋଇଛନ୍ତି । ଏବେ ପୁଣି ଏକ ଘଟଣା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସାର ପାତ୍ର କରିଛି।

ସୂଚନା ମୁତାବକ, ଜଣେ ଭାରତୀୟ ଯୁବକ ମାଲେସିଆରେ ରହୁଥିବା ବେଳେ ସେ ସୁଷମା ସ୍ୱରାଜଙ୍କଠାରୁ ସାହାଯ୍ୟ ମାଗିବାକୁ ଯାଇ ଏକ ଟୁଇଟ୍‌ କରିଥିଲେ । ଟୁଇଟ୍‌ଟି ଇଂରାଜୀରେ କରାଯାଇଥିବା ବେଳେ ଯୁବକଙ୍କ ଇଂରାଜୀରେ ଅନେକ ଭୁଲ ଥିବା ଦେଖା ଯାଇଥିଲା । ଏହି ଟୁଇଟ୍‌ ପଢ଼ିବା ପରେ ଜଣେ ବ୍ୟବହାରକାରୀ ସାହାଯ୍ୟ ମାଗିଥିବା ଯୁବକଙ୍କୁ, ଭାଇ ହିନ୍ଦୀ କି ପଞ୍ଜାବୀରେ ଲେଖି ଦେଇଥାନ୍ତ ବୋଲି କହି ଥଟ୍ଟା କରିଥିଲେ ।

ତେବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସାହାଯ୍ୟ ମାଗିଥିବା ଯୁବକଙ୍କ ଇଂରାଜୀକୁ ନେଇ ଥଟ୍ଟା କରିବା ପରିବର୍ତ୍ତେ, କୌଣସି ଅସୁବିଧା ନାହିଁ  ବୋଲି ଲେଖିଥିଲେ। ବୈଦେଶିକ ମନ୍ତ୍ରୀ ପଦ ସମ୍ଭାଳିବା ପରେ ମୁଁ ଇଂରାଜୀର ସବୁ ପ୍ରକାରର ଉଚ୍ଚାରଣ ଏବଂ ଗ୍ରାମାର ଜାଣି ନେଇଛି ବୋଲି ଲେଖିବା ସହ ଯୁବକଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ । ସୁଷମା ସ୍ୱରାଜଙ୍କ ଏଭଳି ଟୁଇଟ୍‌ ପରେ ଏବେ ତାଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର