ଆମେରିକା ଯିବାକୁ ବାହାରିିଥିବା ବନ୍ଧୁଙ୍କୁ ରୋକିବାକୁ ଏହି ଉପାୟ ଆପଣେଇଥିଲେ ଯୁବକ, ଧରିଲା ପୁଲିସ୍‌

ଜିନ୍ଦ: କଥାରେ ଅଛି ବନ୍ଧୁତ୍ବରେ ସ୍ବାର୍ଥ ନଥାଏ। ପ୍ରକୃତ ବନ୍ଧୁ ସବୁବେଳେ ନିଜ ବନ୍ଧୁକୁ ସୁଖୀ ଦେଖିବାକୁ ପସନ୍ଦ କରେ। ମାତ୍ର ହରିଆଣାରେ ଏକ ଏପରି ବନ୍ଧୁତ୍ବ ଦେଖିବାକୁ ମିଳିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

ହରିଆଣାର ଜିନ୍ଦ ଜିଲ୍ଲାର ସାହନପୁରର ଜଣେ ଯୁବକ ଚାକିରି କରିବାକୁ ଆମେରିକା ଯିବାକୁ ବାହାରିଥିବା ବେଳେ ସେ ଦେଶ ଛାଡ଼ି ଯାଆନ୍ତୁ ବୋଲି ଚାହଚୁଁନଥିଲେ ତାଙ୍କ ଅନ୍ତରଙ୍ଗ ବନ୍ଧୁ। ସେ ବିଭିନ୍ନ ପ୍ରକାର କଥା କହି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକ ଜଣକ ନମାନିବାରୁ ସେ ଯେଉଁ ଉପାୟ ଆପଣେଇଥିଲେ ତାହା ଆଶ୍ଚର୍ଯ୍ୟଜନକ।

ଯୁବକଙ୍କ ବନ୍ଧୁ ତାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖି ଆମେରିକା ନଯିବାକୁ କହିଥିଲେ। ସେହି ଚିଠିରେ ସେ ନିଜ ନାମ ଗୋପନ ରଖି ତାଙ୍କ ବନ୍ଧୁଙ୍କୁ ଡରାଉଥିଲେ। ଆମେରିକା ଯିବାକୁ ବାହାରିଥିବା ଯୁବକ ଜଣକ ତାଙ୍କୁ ମିଳିଥିବା ଧମକ ସଂପର୍କରେ ଥାନାରେ ଅଭିଯୋଗ ଦେବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ତାଙ୍କ ବନ୍ଧୁଙ୍କୁ ଧରିଛି।

ପୁଲିସ୍‌ ହାତରେ ଧରା ପଡ଼ିଥିବା ଅଭିଯୁକ୍ତ ବନ୍ଧୁ ହେଉଛନ୍ତି ବିକ୍ରମ। ସେ ଚାହୁଁନଥିଲେ ଯେ ତାଙ୍କ ବନ୍ଧୁ ଦେଶ ଛାଡ଼ି ଆମେରିକା ଯାଆନ୍ତୁ। ଏହି କାରଣରୁ ସେ ଧମକ ଦେଇ ବନ୍ଧୁଙ୍କୁ ଅଟକେଇବାର ଚେଷ୍ଟା କରୁଥିବା ପୁଲିସ୍‌ ସମ୍ମୁ୍‌ଖରେ ସ୍ବୀକାର କରିଛନ୍ତି।

ଜାଣିବାକୁ ମିଳିଛି ‌ମୁକେଶ ‌ହେଉଛନ୍ତି ଆମେରିକା ଯିବାକୁ ବାହାରିଥିବା ଦୀପକଙ୍କ ବାପା। ମୁକେଶଙ୍କୁ ଡିସେମ୍ବର ୪ ତାରିଖରେ ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଓ ଚିଠି ମିଳିଥିଲା। ତାଙ୍କ ପୁଅକୁ ଆମେରିକା ନପଠାଇବାକୁ ଧମକ ମିଳିଥିଲା। ଫୋନ୍‌ କଲ୍‌ ଗ୍ୟାଙ୍ଗ୍‌ଷ୍ଟାର୍‌ ଲରେନ୍ସ ବିଷ୍ଣୋଇ ନାମରେ ଆସୁଥିଲା। ତାପରେ ସେ ପୁଲିସ୍‌ର ସହାୟତା ନେଇଥିଲେ।

ସମ୍ବନ୍ଧିତ ଖବର