ଗାନ୍ଧୀ ପରିବାର ବାହାରୁ ୧୩ ସଭାପତି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଘୋଷଣା ପରେ ଏବେ ଗାନ୍ଧୀ ପରିବାର ବାହାରୁ ସଭାପତି ନିଯୁକ୍ତି ଦେବାପାଇଁ କସରସ ଆରମ୍ଭ ହୋଇଯାଇଛି। ଦୁଇ ଦଶନ୍ଧି ପରେ ଏବେ କଂଗ୍ରେସ ପୁଣି ଅଣ ଗାନ୍ଧୀ ସଭାପତି ପାଇବାକୁ ଯାଉଛି। ତେବେ ଦଳର ଇତିହାସକୁ ଦେଖିଲେ ୧୯୪୭ରୁ ଆଜି ପର୍ଯ୍ୟନ୍ତ କଂଗ୍ରେସର ମୋଟ ୧୮ ଜଣ ସଭାପତିଙ୍କ ମଧ୍ୟରୁ କେବଳ ୫ ଜଣ ଗାନ୍ଧୀ ପରିବାରରୁ ହୋଇଛନ୍ତି। ଅନ୍ୟପକ୍ଷରେ ୧୩ ଜଣ ସଭାପତି ଗାନ୍ଧୀ ପରିବାର ବାହାରୁ ନିର୍ବାଚିତ ହୋଇଛନ୍ତି। ତେବେ ସେମାନଙ୍କ କାର୍ଯ୍ୟକାଳ ଅବଧି କମ ରହିଥିବା ବେଳେ ଗାନ୍ଧୀ ପରିବାର ହାତରେ ହିଁ ଦଳର ନିୟନ୍ତ୍ରଣ ଅଧିକ ସମୟ ରହିଛି। ଗାନ୍ଧୀ ପରିବାର ବାହାରୁ ସଭାପତି ନିର୍ବାଚିତ ହୋଇଥିବା ନେତାମାନେ ମଧ୍ୟ ଦଳ ପାଇଁ ସଫଳତା ଆଣିଥିବାର ଅନେକ ନଜିର ରହିଛି।
୧୯୪୭: ଦେଶ ସ୍ବାଧୀନ ହେବାପରେ ଜେବି କୃପଲାନି କଂଗ୍ରେସର ସଭାପତି ହୋଇଥିଲେ। ତାଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କ ଯଥେଷ୍ଟ ଭରସା ରହିଥିଲା।
୧୯୪୮-୪୯: ଏହି ସମୟ ମଧ୍ୟରେ କଂଗ୍ରେସ ସଭାପତି ପଦରେ ରହିଥିଲେ ପି. ସୀତାରମେୟା।
୧୯୫୦: ଏହି ବର୍ଷ ପୁରୁଷୋତ୍ତମ ଦାସ ଟଣ୍ଡନ କଂଗ୍ରେସର ସଭାପତି ହୋଇଥିଲେ। ନାସିକ୍‌ ଅଧିବେଶନରେ ସେ ଅଧ୍ୟକ୍ଷତା କରିଥିଲେ। ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ଦେବାପାଇଁ ଟଣ୍ଡନ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।
୧୯୫୫-୧୯୫୯: ୟୁଏନ୍‌ ଡେବର ଏହି ସମୟରେ କଂଗ୍ରେସର ସଭାପତି ପଦରେ ରହିଥିଲେ। ସେ ତାଙ୍କ କାର୍ଯ୍ୟକାଳରେ ଅମୃତସର, ଇନ୍ଦୋର, ଗୌହାଟି ଏବଂ ନାଗପୁର ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ୧୯୫୯ରେ ଇନ୍ଦିରା ଗାନ୍ଧୀ ଦଳର ସଭାପତି ହୋଇଥିଲେ।
୧୯୬୦-୧୯୬୩: ନିଲମ ସଂଜୀବ ରେଡି ଏହି ସମୟରେ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ସେ ବେଙ୍ଗାଲୁରୁ, ଭାବନଗର ଏବଂ ପାଟନା ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ପରବର୍ତ୍ତୀ ସମୟରେ ନିଲମ ସଂଜୀବ ରେଡି ଦେଶର ଷଷ୍ଠ ରାଷ୍ଟ୍ରପତି ହୋଇଥିଲେ।
୧୯୬୪-୬୭: ଏହି ସମୟ ମଧ୍ୟରେ ଭାରତୀୟ ରାଜନୀତିର କିଂଗ୍‌ମେକର ଭାବେ ପରିଚିତ କାମରାଜ କଂଗ୍ରେସ ସଭାପତି ହୋଇଥିଲେ। ସେ ଭୁବନେଶ୍ବର, ଦୁର୍ଗାପୁର ଏବଂ ଜୟପୁର ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।
୧୯୬୮-୧୯୬୯: ଏସ୍‌ ନିଜଲିଙ୍ଗପ୍ପା ଏହି ସମୟରେ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ।
୧୯୭୦-୭୧: ବାବୁ ଜଗଜୀବନ ରାମ କଂଗ୍ରେସ ସଭାପତି ରହିଥିଲେ।
୧୯୭୨-୧୯୭୪: ଶଙ୍କର ଦୟାଲ ଶର୍ମା ଭାରତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଶର୍ମା ଭାରତର ରାଷ୍ଟ୍ରପତି ହୋଇଥିଲେ।
୧୯୭୫-୧୯୭୭: ଦେବକାନ୍ତ ବରୁଆ କଂଗ୍ରେସ ସଭାପତି ନିର୍ବାଚିତ ହୋଇଥିଲେ। ଏହି ସମୟରେ ଦେଶରେ ‘ଏମର୍ଜେନ୍ସି’ ଲାଗୁ ହୋଇଥିଲ। ବରୁଆ ହିଁ ‘ଇଣ୍ଡିଆ ଇଜ୍‌ ଇନ୍ଦିରା ଏବଂ ଇନ୍ଦିରା ଇଜ୍ ଇଣ୍ଡିଆ’ ସ୍ଲୋଗାନ ଦେଇଥିଲେ।
୧୯୭୭-୧୯୭୮: ଏହି ସମୟରେ କଂଗ୍ରେସ ସଭାପତି ରହିଥିଲେ ବ୍ରହ୍ମାନନ୍ଦ ରେଡ୍ଡି।
୧୯୯୨-୧୯୯୬: ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପି.ଭି. ନରସିଂହ ରାଓ ୧୯୯୨ରୁ ୧୯୯୬ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ରହିଥିଲେ।
୧୯୯୬-୧୯୯୮: ସୀତାରାମ କେଶରୀ କଂଗ୍ରେସର ସଭାପତି ରହିଥିଲେ। ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ସଭାପତି ରହିଥିଲେ ଏବଂ ପରେ ତାଙ୍କ ପୁତ୍ର ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେଲେ।

ସମ୍ବନ୍ଧିତ ଖବର