ଦିଲ୍ଲୀରେ ନିରଞ୍ଜନ-ଜିତେନ୍ଦ୍ର ଆଲୋଚନା : ଖୁବ୍‌ଶୀଘ୍ର ରାଜ୍ୟ କଂଗ୍ରେସ‌େର ନବକଳେବର

ନୂଆଦିଲ୍ଲୀ : ଓଡ଼ିଶାରେ କଂଗ୍ରେସର ସାଂଗଠନିକ ସ୍ତରରେ ଖୁବ୍‌ଶୀଘ୍ର ଅଦଳବଦଳ କରାଯିବ। ରାଜ୍ୟ କଂଗ୍ରେସରେ ସମ୍ପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆବଶ୍ୟକ ପଡ଼ିଲେ ପିସିସିରେ ମଧ୍ୟ ପରିବର୍ତ୍ତନ କରାଯିବ। ରାଜ୍ୟରେ କଂଗ୍ରେସକୁ ତୃଣମୂଳ ସ୍ତରରେ କିଭଳି ସୁଦୃଢ଼ କରାଯାଇ ପାରିବ ତା’ ଉପରେ ଗୁରୁତ୍ବ ଦିଆଯିବ। ଆଜି ନୂଆଦିଲ୍ଲୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ପରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ। ଲୋକସଭା ନିର୍ବାଚନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଥମଥର ପାଇଁ ଦିଲ୍ଲୀ ଗସ୍ତ କରି ଏଆଇସିସି କାର୍ଯ୍ୟାଳୟରେ ଜିତେନ୍ଦ୍ର ସିଂହଙ୍କ ସହ ବୈଠକ କରିଛନ୍ତି। ପାଖାପାଖି ଏକ ଘଣ୍ଟା ଧରି ଦୁଇଜଣଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ଆଲୋଚନାକୁ ନିରଞ୍ଜନ ପଟ୍ଟନାୟକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି, ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ଯେଉଁ ଫ୍ୟାକ୍ଟ୍‌ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି ସେହି ରିପୋର୍ଟ ଆସିବାପରେ ନିଷ୍ପତ୍ତି ନିଆଯିବ। ନିର୍ବାଚନ ବିପର୍ଯ୍ୟୟର କାରଣ ଜଣା ପଡ଼ିବା ପରେ ସ୍ଥିତି ସୁଧାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ ହେବ। ଆଜିର ଆଲୋଚନାରେ ପାଟକୁରା ଓ ବିଜେପୁର ବିଧାନସଭା ଆସନ ଉପନିର୍ବାଚନ ପାଇଁ ମଧ୍ୟ ବିଚାରବିମର୍ଶ ହୋଇଥିବା ଜିତେନ୍ଦ୍ର ସିଂହ ସୂଚନା ଦେଇଥିଲେ। ଦୁଇଟି ଆସନରେ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ସେ କହିଥିଲେ। ଜିତେନ୍ଦ୍ର ପୁଣି କହିଥିଲେ ଚଳିତ ମାସ ୨୨ ତାରିଖ ପରେ ସେ ଓଡ଼ିଶା ଗସ୍ତ କରିବେ। ଏଥର ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ବ୍ଲକ୍‌ରେ ସେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି। ନିର୍ବାଚନ ଫଳାଫଳକୁ ନେଇ ପିସିସି ସଭାପତି ଇସ୍ତଫା ଦେଇଥିବା ବେଳେ ଜିତେନ୍ଦ୍ର ସିଂହ କହିଛନ୍ତି ତାଙ୍କ ଇସ୍ତଫା ଗ୍ରହଣ କରାଯାଇନାହିଁ । ଆଗାମୀ ଦିନରେ ଏହା ଉପରେ ବିଚାର କରାଯିବ। ରାଜ୍ୟ କଂଗ୍ରେସର ପରାଜୟ କାରଣ ଖୋଜିବା ନେଇ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦୁଇମାସ ମଧ୍ୟରେ ରିପୋର୍ଟ ଦେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର