ବୋମା ଧମକ ପାଇ ଭାରତୀୟ ଆକାଶରେ ପଶିଥିବା ଇରାନୀୟ ବିମାନକୁ ରୋକିବା ପାଇଁ ଗଲା ବାୟୁସେନା ଲଢୁଆ ବିମାନ

ନୂଆଦିଲ୍ଲୀ: ବୋମା ଧମକ ମିଳିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବା ଚାହୁଁଥିବା ଗୋଟାଏ  ଇରାନୀୟ ବିମାନକୁ ନ ଓହ୍ଲାଇ ନ ଦେବା ପାଇଁ ଯୋଧପୁର ଓ ପଞ୍ଜାବରୁ ଭାରତୀୟ ବାୟୁସେନାର ଲଢୁଆ ବିମାନ ପଠାଯାଇଥିବା କଥା ଆଜି ‘ଏଏନ୍‌ଆଇ’ ରି‌ପୋର୍ଟ କରିଛି।

ଉଚ୍ଚସ୍ତରୀୟ ସରକାରୀ ସୂତ୍ରରୁ ଉଦ୍ଧାର କରି ‘ଇଣ୍ଡିଆ ଟୁଡେ ଟିଭି’ ମଧ୍ୟ ରିପୋର୍ଟ କରିଛି ଯେ, ଗୁଇନ୍ଦା ଏଜେନ୍‌ସିଙ୍କଠାରୁ ବୋମା ବିପଦ ଥିବା ଇରାନୀୟ ବିମାନ ଅବତରଣ ବିଷୟରେ ସୂଚନା ପାଇବାକ୍ଷଣି ସ୍ଥଳ ସେନାଙ୍କୁ ସକ୍ରିୟ କରାଯିବା ସହ ଉକ୍ତ ଇରାନୀୟ ବିମାନକୁ ବାଧା ଦେବା ପାଇଁ ୨ଟି ‘ସୁ-୩୦ଏମ୍‌କେଆଇ’ ଲଢୁଆ ଜେଟ୍‌ ପଠାଯାଇଥିଲା।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ବୋମା ଥିବାର ଧମକ ପାଇବା ପରେ ଇରାନ୍‌ର ତେହେରାନ୍‌ରୁ ଚୀନ୍‌ର ଗୁଆଙ୍ଗ୍‌ଝୌ ଅଭିମୁଖେ ଯାଉଥିବା ‘ମହାନ ଏୟାର୍‌’ର ବିମାନଟି ତୁରନ୍ତ ଅବତରଣ କରିବା ନିମନ୍ତେ ଦିଲ୍ଲୀ ବିମାନ ବନ୍ଦରର ‘ଏଟିସି’ଙ୍କ ଅନୁମତି ଲୋଡ଼ିଥିଲା। ଦିଲ୍ଲୀ ‘ଏଟିସି’ ପ୍ରସ୍ତାବ ଦେଲେ କି, ବିମାନଟି ବରଂ ଜୟପୁରକୁ ନିଆଯାଉ। କିନ୍ତୁ, ଇରାନୀୟ ବିମାନ ଚାଳକ ତାହା ଅଗ୍ରାହ୍ୟ କରି ଭାରତୀୟ ଆକାଶରୁ ବାହାରି ଯାଇଥିଲେ।

Image Courtesy of Zee News

ଭାରତୀୟ ଲଢୁଆ ବିମାନ ଦୁଇଟି ସବୁବେଳେ ତା’ ପାଖରେ ଉଡ଼ି ବୁ‌ଲିଲେ। କିନ୍ତୁ, ଉକ୍ତ ଇରାନୀୟ ବିମାନରେ ବୋମା ନାହିଁ ବୋଲି ସ୍ପଷ୍ଟ କରାଯିବା ପରେ ତା’କୁ ଚୀନ୍‌ସ୍ଥିତ ତା’ର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା।

ଏହି ଘଟଣା ପରେ ଭାରତୀୟ ବାୟୁସେନାର ସମସ୍ତ ବିମାନ ଘାଟି ଓ ଏଭିଏସନ୍‌ ୟୁନିଟ୍‌କୁ ସତର୍କ କରାଇ ଚୀନ୍‌ ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ବିମାନ ପ୍ରତି ଭାରତୀୟ ସୁରକ୍ଷା ବଳ ତୀବ୍ର ଦୃଷ୍ଟି ରଖିଛି।

ଏବେ ମଧ୍ୟ ଉକ୍ତ ବିମାନ ଉପରେ ଭାରତୀୟ ଏଜେନ୍‌ସି ସତର୍କ ଦୃଷ୍ଟି ରଖିଛି।

ସମ୍ବନ୍ଧିତ ଖବର