ଇରାକ୍‌ରେ ଲଙ୍କାକାଣ୍ଡ: ରାଷ୍ଟ୍ରପତି ଭବନରେ ପଶି ପୁଷ୍କରଣୀରେ ବୁଡ଼ ପକାଇଲେ ପ୍ରତିବାଦକାରୀ

ବାଗ୍‌ଦାଦ୍‌: ରାଜନୀତି ଛାଡ଼ିବେ ବୋଲି ଇରାକ୍‌ର ପ୍ରଭାବଶାଳୀ ଶିଆଇ ମୁସଲ୍‌ମାନୀୟ ମୌଲବୀ ମ‌ୋକ୍‌ତାଦା ଅଲ୍‌-ସଦର୍‌ ଘୋଷଣା କରିବା ପରେ ସୋମବାର ଦିନ ତାଙ୍କର ସମର୍ଥକମାନେ ରାସ୍ତାଘାଟରେ ପ୍ରତିବାଦ ପ୍ରଦର୍ଶନ କରି ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ।

ଫଳରେ ବାଗ୍‌ଦାଦ୍‌ର ଗ୍ରିନ୍‌ ଜୋନ୍‌ରେ ଅବସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ମୌଲବୀଙ୍କ ବିରୋଧୀ ଓ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ଘଟିଲା। ଉତ୍ତ୍ୟକ୍ତ ଜନତାଙ୍କୁ ଛତ୍ରଭଙ୍ଗ କରାଇବାକୁ ନିରାପତ୍ତା ବଳ ଲୁହବୁହା ବାଷ୍ପ ପ୍ରୟୋଗ କଲେ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ ଅନୁସାରେ, ଏହି ସଂଘର୍ଷ ସମୟରେ ଗୁଳିକାଣ୍ଡ ଘଟିବାରୁ ଅନ୍ୟୂନ ୧୨ଜଣଙ୍କର ମୃତ୍ୟୁ ଘଟିଛି ଓ ୨୭୦ଜଣ ପ୍ରତିବାଦକାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଗୁଳିଚୋଟରେ ଆହତ ହୋଇଥିବା ବେଳେ ଆଉ କେତେକ ଲୁହବୁହା ବାଷ୍ପ ଆଘ୍ରାଣ କରି ଅସୁସ୍ଥ ହୋଇପଡ଼ିଛନ୍ତି।

ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେଉଥିବା ଭିଡିଓ କ୍ଲିପ୍‌ଗୁଡ଼ିକରେ ଦେଖାଯାଉଛି, ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ମଧ୍ୟକୁ ପ୍ରତିବାଦକାରୀମାନେ ଧଷେଇ ପଶିବା ପରି ଇରାକ୍‌ରେ ମଧ୍ୟ ପ୍ରତିବାଦକାରୀମାନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରି ସେଠାରେ ଥିବା ସନ୍ତରଣ ପୁଷ୍କରଣୀରେ ବୁଡ଼ ପକାଉଛନ୍ତି।

Image Courtesy of Modular Pones Forum

ମୌଲବୀ ସଦର୍‌ଙ୍କ ସମର୍ଥକ ଓ ତେହେରାନ୍‌ ସମର୍ଥିତ ବିରୋଧୀମାନେ ପରସ୍ପର ଉପରକୁ ଟେକାପଥର ଫିଙ୍ଗିବାରୁ ବାଗ୍‌ଦାଦ୍‌ ନିରାପତ୍ତା ବଳ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରତିବାଦକାରୀଙ୍କୁ ଗ୍ରିନ୍‌ ଜୋନ୍‌ରୁ ହଟାଇବା ଲାଗି ଇରାକୀୟ ସେନା ଅପରାହ୍ଣ ୩.୩୦ରୁ ସେଠାରେ କର୍ଫ୍ୟୁ ଜାରି କରିଛି।

କିଛି ମାସ ହେବ ଇରାକ୍‌ରେ ନୂଆ ସରକାର, ପ୍ରଧାନମନ୍ତ୍ରୀ ଅଥବା ରାଷ୍ଟ୍ରପତି ନ ଥିବାରୁ ବୃଦ୍ଧି ପାଇଥିବା ରାଜନୈତିକ ସଙ୍କଟ ବେଳେ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା କଥା ‘ଏଏଫ୍‌ପି’ ପ୍ରତିନିଧି କହିଛନ୍ତି।

ସମ୍ବନ୍ଧିତ ଖବର