ନୂଆ କ୍ୟାବିନେଟ୍‌ରେ ଓବିସି, ନାରୀଶକ୍ତି, ଯୁବଶକ୍ତି

ନୂଆ ମନ୍ତ୍ରିମଣ୍ଡଳରେ ୧୩ ଓକିଲ, ୬ ଡାକ୍ତର, ୫ ଇଞ୍ଜିନିୟର୍‌, ୭ ପିଏଚ୍‌ଡି, ୩ ଏମ୍‌ବିଏ ଓ ୭ ପୂର୍ବ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ : ‌ମୋଦୀ ସରକାରଙ୍କ ୨.୦ କ୍ୟାବିନେଟ୍‌ରେ ସବୁ ବର୍ଗଙ୍କୁ ପ୍ରଧାନ୍ୟ ଦିଆଯାଇଛି। ନୂଆ କ୍ୟାବିନେଟ୍‌ରେ ନାରୀ ଶକ୍ତି ଏବଂ ଯୁବ ଶକ୍ତି ସମେତ ବିଭିନ୍ନ ବର୍ଗଙ୍କୁ ପ୍ରାଧାନ୍ୟ ମିଳିଛି। ସାମାଜିକ ଏବଂ ଆର୍ଥିକ ଭାବେ ପଛୁଆ ସମ୍ପ୍ରଦାୟର ଅଧିକ ପ୍ରତିନିଧିତ୍ବ ରହିଛି। ଏଥିସହ ପ୍ରଶାସନିକ ଏବଂ ବ୍ୟବସ୍ଥାପିକା କ୍ଷେତ୍ରରେ ଅଭିଜ୍ଞତା ଥିବା ବ୍ୟକ୍ତିତ୍ବ ବି ସାମିଲ ହୋଇଛନ୍ତି। ଅଧିକ ଉଚ୍ଚ ଶିକ୍ଷିତଙ୍କୁ ସ୍ଥାନ ମିଳିଛି। ସେହିପରି ଆସନ୍ତାବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ନୂ୍ଆ କ୍ୟାବିନେଟ୍‌ରେ ଉତ୍ତରପ୍ରଦେଶରୁ ୭ ଜଣ ସ୍ଥାନ ପାଇଛନ୍ତି। ଶାସକ ଦଳ ବିଜେପି ସାମାଜିକ ଏବଂ ଆର୍ଥିକ ଭାବେ ପଛୁଆ ବର୍ଗଙ୍କ ନିକଟରେ ପହଞ୍ଚିବାପାଇଁ ଅଧିକ ପ୍ରୟାସ କରିଛି। ମୋଟ୍‌ ଉପରେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରି ଏହି ନୂଆ କ୍ୟାବିନେଟ୍‌ ପ୍ରସ୍ତୁତ ହୋଇଛି।

ନୂଆ କ୍ୟାବିନେଟ୍‌ରେ ଓବିସି ସମ୍ପ୍ରଦାୟରୁ ରେକର୍ଡ ୨୭ ଜଣ ମନ୍ତ୍ରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟମାନଙ୍କରୁ ଏସ୍‌ସି ସମ୍ପ୍ରଦାୟର ୧୨ ମନ୍ତ୍ରୀ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ଆସାମ, ମଧ୍ୟପ୍ରଦେଶ ଆଦି ରାଜ୍ୟମାନଙ୍କରୁ ଏସ୍‌ଟି ସମ୍ପ୍ରଦାୟର ୮ ଜଣ ମନ୍ତ୍ରୀ ରହିଛନ୍ତି। ୨ ଜଣ ଏସ୍‌ସି ଏବଂ ଏସ୍‌ଟି ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ସେହିପରି ନୂଆ କ୍ୟାବିନେଟ୍‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ୩ ଜଣ ମନ୍ତ୍ରୀ ରହିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟରୁ ୩ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ନୂଆ ମହିଳା ମନ୍ତ୍ରୀଙ୍କୁ ମିଶାଇ ମୋଦୀଙ୍କ ନୂଆ କ୍ୟାବିନେଟ୍‌ରେ ଏବେ ମୋଟ୍‌ ୧୧ ଜଣ ମହିଳା ଅଛନ୍ତି। ୧୪ ମନ୍ତ୍ରୀଙ୍କ ବୟସ ୫୦ ତଳେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ପ୍ରଶାସନିକ କ୍ଷେତ୍ରରେ ଅଭିଜ୍ଞତା ଥିବା ଅଧିକରୀଙ୍କୁ ମଧ୍ୟ ନୂଆ କ୍ୟାବିନେଟ୍‌ରେ ସାମିଲ କରାଯାଇଛି। କ୍ୟାବିନେଟ୍‌ରେ ୧୩ ଜଣ ଆଇନଜୀବୀ, ୬ ଜଣ ଡାକ୍ତର, ୫ ଜଣ ଇଂଜିନିୟର, ୭ ଜଣ ପ୍ରଶାସନିକ ସେବା ଅଧିକାରୀ, ୭ ପିଏଚ୍‌ଡି ଏବଂ ୩ ଜଣ ଏମ୍‌ବିଏ ଡିଗ୍ରିଧାରୀ ସାମିଲ ହୋଇଛନ୍ତି। ୪ ଉତ୍ତରପୂର୍ବ ରାଜ୍ୟ ଆସାମ, ଅରୁଣ‌ାଚଳପ୍ରଦେଶ, ମଣିପୁର ଏବଂ ତ୍ରିପୁରାରୁ ୫ ଜଣ ମନ୍ତ୍ରୀ ହୋଇଛନ୍ତି।

ସଂଖ୍ୟାରେ ନୂଆ କ୍ୟାବିନେଟ୍‌
ନୂଆଦିଲ୍ଲୀ: ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୩୬ ନୂଆ ମୁହଁ ସାମିଲ ହୋଇଛନ୍ତି। ୧୨ ଜଣ ବାଦ୍‌ ପଡ଼ିଛନ୍ତି। ୭ ଜଣଙ୍କୁ ପଦୋନ୍ନତି ମିଳିଛି। ମୋଟ୍‌ ୪୩ ଜଣ ଶପଥ ନେଇଛନ୍ତି। ମୋଦୀଙ୍କୁ ବାଦ୍‌ ଦେଲେ କ୍ୟାବ‌ିନେଟ୍‌ରେ ମୋଟ୍‌ ସଂଖ୍ୟା ଏବେ ୭୭। ପୂର୍ବରୁ ଏହି ସଂଖ୍ୟା ୫୩ ଥିଲା। କ୍ୟାବିନେଟ୍‌‌‌ରେ ସର୍ବାଧିକ ୮୧ ମନ୍ତ୍ରୀ ରହିପାରିବେ। ୪୩ ମନ୍ତ୍ରୀଙ୍କ ମଧ୍ୟରୁ ୧୫ ଜଣ କ୍ୟାବିନେଟ୍‌ ପାହ୍ୟା ଏବଂ ବାକି ୨୮ ଜଣ ରାଷ୍ଟ୍ର ପାହ୍ୟା ପାଇଛନ୍ତି। କ୍ୟାବିନେଟ୍‌ରେ ହାରାହାରି ସର୍ବନିମ୍ନ ବୟସସୀମା ୬୧ରୁ ୫୮କୁ ଖସି ଆସିଛି। ୨୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ମନ୍ତ୍ରୀମାନେ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ୧୬ ଜଣ ମନ୍ତ୍ରୀ ହୋଇଛନ୍ତି। ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ନୂଆ କ୍ୟାବିନେଟ୍‌ରେ ସାମିଲ। ୧୮ ଜଣ ମନ୍ତ୍ରୀ ବିଭିନ୍ନ ରାଜ୍ୟରେ ମନ୍ତ୍ରୀ ପଦରେ ଥିଲେ। ୩୯ ଜଣ ପୂର୍ବତନ ବିଧାୟକ ଥିଲେ।

ସମ୍ବନ୍ଧିତ ଖବର