ଆମେରିକାର ଚେତାବନୀ ସତ୍ତ୍ବେ ରୁଷରୁ ବିପୁଳ ପରିମାଣରେ ତେଲ କିଣିବ ଭାରତ

ଇଣ୍ଡିଆନ ଅଏଲ ପରେ ଅନ୍ୟ ରାଷ୍ଟ୍ରାୟତ୍ତ ତେଲ କମ୍ପାନିମାନେ ବି ରୁଷରୁ କିଣିବେ ତେଲ

ନୂଆଦିଲ୍ଲୀ : ଆମେରିକା ପକ୍ଷରୁ ରୁଷ ତେଲ ଉପରେ କଟକଣା ଲଗାଯାଇଥିବାବେଳେ ଭାରତ ରୁଷରୁ ବିପୁଳ ପରିମାଣରେ ଅଶୋଧିତ ତେଲ ରିହାତି ଦରରେ କିଣିବାକୁ ଯୋଜନା କରୁଛି । ଇତି ମଧ୍ୟରେ ଭାରତର ବୃହତ୍ତମ ତୈଳ ବିଶୋଧକ ଇଣ୍ଡିଆନ ଅଏଲ ପକ୍ଷରୁ ରୁଷରୁ ୩ ନିୟୁତ ବ୍ୟାରେଲ ତେଲ ଆମଦାନୀ କରିବାକୁ ଚୁକ୍ତି କରାଯାଇଛି ।

କେବଳ ଇଣ୍ଡିଆନ ଅଏଲ ନୁହେଁ, ଅନ୍ୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି- ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଏମଆରପିଏଲ (ମାଙ୍ଗାଲୋର ରିଫାଇନରୀ ଏଣ୍ଡ ପେଟ୍ରୋକେମିକାଲ୍ସ )  ରୁଷରୁ ତେଲ କିଣିବାକୁ ଯୋଜନା କରୁଛନ୍ତି । କଟକଣା ଲାଗିବା ପରେ ରୁଷ ଭାରତକୁ ରିହାତି ଦରରେ ଅଶୋଧିତ ତେଲ ରପ୍ତାନି ପାଇଁ ପ୍ରସ୍ତାବ ଦେଇଛି । ବ୍ୟାରେଲ ପିଛା ୨୦ର ୨୫ ଡଲାରର ରିହାତି ପ୍ରଦାନ କରାଯାଉଛି । ପୁଣି ରୁଷର ତୈଳ ଜାହାଜଗୁଡ଼ିକ ଭାରତରେ ଏହି ତୈଳ ପହଞ୍ଚାଇଦେବେ । ଏଣୁ ଏହି ରିହାତି ତେଲକିଣି ଭାରତ ଅନ୍ତର୍ଜାତୀୟ ବଜାରରେ ମହଙ୍ଗା ହୋଇଚାଲିଥିବା ତେଲଦର ପ୍ରଭାବକୁ ସମ୍ମୁଖୀନ ହୋଇପାରିବ ।

ଏହି ତେଲ କ୍ରୟ ଯୋଗୁଁ ଭାରତ ଉପରେ ପାଶ୍ଚାତ୍ୟ ଦେଶ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାର ସମ୍ଭାବନା ରହିଛି । କାରଣ ରୁଷ ଉପରେ ଯେଉଁ କଟକଣା ଲଗାଯାଇଛି ସେଥିରେ ତେଲକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । କେବଳ ଆମେରିକା ରୁଷରୁ ତେଲ କିଣିବା ବନ୍ଦ କରିଦେଇଛି । କିନ୍ତୁ ଅନ୍ୟମାନଙ୍କ ଉପରେ ଏହା ଲାଗୁ କରାଯାଇନାହିଁ । ଏହି କାରଣରୁ ଜର୍ମାନି ପ୍ରଭୃତି କେତେକ ୟୁରୋପୀୟ ଦେଶ ଏବେ ବି ରୁଷିଆରେ ତେଲ କିଣିବା ଅବ୍ୟାହତ ରଖିଛନ୍ତି ।

ସମ୍ବନ୍ଧିତ ଖବର