ନାଟୋରେ ଯୋଗ ଦେବନି ଭାରତ: ଜୟଶଙ୍କର

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ସ୍ପଷ୍ଟ କରିଛନ୍ତି ଯେ , ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ୍‌)ରେ ଯୋଗ ଦେବାପାଇଁ ଭାରତର କୌଣସି ଉଦ୍ଦେଶ୍ୟ ନାହିଁ। ପଶ୍ଚିମ ରାଷ୍ଟ୍ରଗୁଡ଼ିକ ନାଟୋର ନେତୃତ୍ବ ନେଉଛନ୍ତି। ଜୟଶଙ୍କର କହିଛନ୍ତି, ଏହି ସାମରିକ ମେଣ୍ଟ ଭାରତ ପାଇଁ ଆଦୌ ଉପଯୁକ୍ତ ନୁହେଁ। ନାଟୋ ହେଉଛି ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଏକ ସାମରିକ ମେଣ୍ଟ। ଏଥିରେ ୩୧ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି। ମୁଖ୍ୟତଃ ୟୁରୋପ ଓ ଉତ୍ତର ଆମେରିକାରୁ ଅଧିକାଂଶ ରାଷ୍ଟ୍ର ଏହି ସାମରିକ ମେଣ୍ଟରେ ଅଛନ୍ତି।

ସାମରିକ ଏବଂ ରାଜନୈତିକ ସହଯୋଗ ଦ୍ବାରା ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ସୁରକ୍ଷା ଏବଂ ସ୍ବାଧୀନତା ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ। ତେବେ ଭାରତକୁ ନାଟୋରେ ସାମିଲ କରିବାପାଇଁ ନିକଟରେ ଆମେରିକା ପ୍ରସ୍ତାବ ଦେଇଥିଲା। କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଜୟଶଙ୍କର କହିଛନ୍ତି, ଭାରତ ଯେ କୌଣସି ଚୀନ୍‌ ଆକ୍ରମଣର ଜବାବ ଏକାକୀ ଦେବାପାଇଁ ସକ୍ଷମ ଅଟେ। ଅନ୍ୟାନ୍ୟ କାରଣ ପାଇଁ ମଧ୍ୟ ଭାରତ ନାଟୋରେ ଯୋଗ ଦେବନି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର