ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ମାନ୍ୟତା ତଥା ଅନୁମୋଦନପ୍ରାପ୍ତ ଆଇନ କଲେଜରୁ ଡିଗ୍ରି ହାସଲ କରିଥିବା ପ୍ରାର୍ଥୀଙ୍କୁ ଆଇନଜୀବୀ ଭାବେ ନାମ ପଞ୍ଜୀକରଣ (ଏନ୍‌ରୋଲମେଣ୍ଟ୍) ସଂପର୍କିତ ବାର୍‌ କାଉନସିଲ୍ ଅଫ ଇଣ୍ଡିଆ (ବିସିଆଇ) ନିୟମକୁ ଅସିଦ୍ଧ କୁହାଯାଇପାରିବ ନାହିଁ। ବିସିଆଇ ବନାମ ରବି ସାହୁ ମାମଲାର ରାୟ ପ୍ରକାଶ କରି ଏହା କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ୍‌ ସଞ୍ଜୟ କୁମାର। ବିସିଆଇ ଦ୍ବାରା ମାନ୍ୟତା ପାଇନଥିବା କଲେଜରୁ ଡିଗ୍ରି ହାସଲ କରିଥିବା ପ୍ରାର୍ଥୀଙ୍କୁ ଆଡଭୋକଟ୍‌ ଭାବେ ଏନ୍‌ରୋଲମେଣ୍ଟ୍ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଆଦେଶ ଯୁକ୍ତିଯୁକ୍ତ ନୁହେଁ ବୋଲି କହି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥି ସହିତ ବିସିଆଇ ଅପିଲକୁ ଗ୍ରହଣ କରିଛନ୍ତି।

ମାମଲାରୁ ପ୍ରକାଶ ଯେ ଅନୁଗୁଳ ବିବେକାନନ୍ଦ ଆଇନ କଲେଜର ମାନ୍ୟତା ବିସିଆଇ ଦ୍ବାରା ରଦ୍ଦ କରିଦିଆଯାଇଥିଲା। ମାନ୍ୟତା ରଦ୍ଦ ନେଇ ବିସିଆଇ କଲେଜକୁ ଜଣାଇଦେବା ସହିତ କୌଣସି ବିଦ୍ୟାର୍ଥୀଙ୍କୁ ପାଠ୍ୟକ୍ରମରେ ନାମ ନଲେଖାଇବା ପାଇଁ ପତ୍ର ଲେଖାଯାଇଥିଲା। ଏହା ସହ ମଧ୍ୟ ବିସିଆଇ ପକ୍ଷରୁ କଲେଜକୁ କୁହାଯାଇଥିଲା, ଯଦି କଲେଜରେ ପାଠ୍ୟକ୍ରମ ଜାରି ରୁହେ ଓ ଡିଗ୍ରି ପ୍ରଦାନ କରାଯାଏ ତାହାହେଲେ ସେମାନ ଆଇନଜୀବୀ ଭାବେ ଏନରୋଲମେଣ୍ଟ୍‌ ପାଇଁ ଯୋଗ୍ୟ ହେବେ ନାହିଁ। ଏହି ନିଷ୍ପତ୍ତି ରାଜ୍ୟ ବାର କାଉନସିଲକୁ ମଧ୍ୟ ବିସିଆଇ ପକ୍ଷରୁ ପତ୍ର ଲେଖି ଜଣାଇ ଦିଆଯାଇଥିଲା।

ବିସିଆଇର ନିୟମ ଉପରେ ମୋହର ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ
ବିସିଆଇ ମାନ୍ୟତା ନଥିବା କଲେଜରୁ ଉତ୍ତୀର୍ଣ୍ଣ ଡିଗ୍ରିଧାରୀଙ୍କୁ ମିଳିବନି ସ୍ବୀକୃତି

୨୦୦୯ରେ ରବି ସାହୁ ବିବେକାନନ୍ଦ ଆଇନ କଲେଜରୁ ଆଇନ ଡିଗ୍ରି ହାସଲ କରିବା ପରେ ସେ ‌ଆଇନଜୀବୀ ଭାବେ ଏନ‌ରୋଲମେଣ୍ଟ ପାଇଁ ଆବେଦନ କଲେ। କିନ୍ତୁ କଲେଜର ମାନ୍ୟତା ରଦ୍ଦ କରିଦିଆଯାଇଥିବାରୁ ଆଡଭୋକଟ୍‌ ଭାବେ ତାଙ୍କ ଏନରୋଲମେଣ୍ଟ୍‌ ହୋଇପାରିଲା ନାହିଁ। ଏହା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଖଣ୍ଡପୀଠ ରବି ସାହୁଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ହାଇକୋର୍ଟ ସେପ୍ଟେମ୍ବର ୨୧, ୨୦୧୨ ଆଦେଶରେ ବିସିଆଇ ଆଡଭୋକେଟ ଆଇନ ୧୯୬୧ର ଧାରା ୨୪ ଅନ୍ତର୍ଗତ ନିର୍ଦ୍ଧାରିତ ନିୟମ ବ୍ୟତୀତ ଏନରୋଲମେଣ୍ଟ୍‌ ପାଇଁ କୌଣସି ନିୟମ ପ୍ରସ୍ତୁତ କରିପାରିବ ନାହିଁ କି କୌଣସି ସର୍ତ୍ତ ଯୋଡି ପାରିବ ନାହିଁ ବୋଲି କହିଥିଲେ। ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍ କରି ବିସିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଜାନୁଆରି ୨୮, ୨୦୧୩ରେ ରହିତାଦେଶ ଜାରି କରିଥିଲେ। ସୁପ୍ରିମକୋର୍ଟଙ୍କ ନୋଟିସ ସତ୍ତ୍ବେ ପ୍ରତିପକ୍ଷ ରବି ସାହୁ ଏବଂ ଓଡ଼ିଶା ବାର କାଉନସିଲ୍‌ ମାମଲାର ଶୁଣାଣିରେ ହାଜର ହୋଇନଥିଲେ। ଅନ୍ୟପକ୍ଷରେ ବିସିଆଇ ପକ୍ଷରୁ ମାମଲାର ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯିବା ସହ ଆଇନଜୀବୀଙ୍କ ଏନରୋଲମେଣ୍ଟ୍‌ ସମ୍ପର୍କିତ କ୍ଷମତା ଆଧାରରେ ନିଷ୍ପତ୍ତି ନିଆଯାଇଥିବା ଯୁକ୍ତି ଉପସ୍ଥାପନ କରାଯାଇଥିଲା। ପୋଷ୍ଟ ଏନରୋଲମେଣ୍ଟ୍‌ ଓ ପ୍ରି ଏନରୋଲମେଣ୍ଟ୍‌ ବ୍ୟାପାରରେ ବିସିଆଇର ବ୍ୟାପକ କ୍ଷମତା ରହିଥିବା ସାମ୍ବିଧାନିକ ବେଞ୍ଚ ରାୟକୁ ଶୁଣାଣି ବେଳେ ଅବତାରଣ କରାଯାଇଥିଲା।

ସମ୍ବନ୍ଧିତ ଖବର