କାନଡାରେ ତ୍ରିରଙ୍ଗା ଧରି ଖଲିସ୍ତାନୀ ପ୍ରତିବାଦକାରୀଙ୍କୁ ମୁକାବିଲା କଲେ ଭାରତୀୟ ସମ୍ପ୍ରଦାୟ

ଟରଣ୍ଟୋ: କାନଡାର ଟରଣ୍ଟୋରେ ଖଲିସ୍ତାନୀ ସମର୍ଥକ ପ୍ରତିବାଦକାରୀଙ୍କୁ ମୁକାବିଲା କରିବା ସହିତ କୂଟନୀତିଜ୍ଞମାନଙ୍କୁ ଓ କନ୍‌ସୁଲେଟ୍‌ ଅଫିସ୍‌କୁ ସୁରକ୍ଷା ଦେବା ପାଇଁ ଶନିବାର ଦିନ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ତ୍ରିରଙ୍ଗା ଧରି କନ୍‌ସୁଲେଟ୍‌ ବାହାରେ ସମବେତ ହୋଇଥିଲେ।

ସେଠାରେ ଭାରତୀୟ ବଂଶୋଦ୍ଭବମାନେ ‘ଭାରତ ମାତାକୀ ଜୟ’, ‘ବନ୍ଦେ ମାତରଂ’, ‘ଭାରତ ଜିନ୍ଦାବାଦ୍‌’ ଏବଂ ‘ଖଲିସ୍ତାନ୍‌ ମୁର୍ଦବାଦ୍‌’ ଆଦି ସ୍ଲୋଗାନ୍‌ ଦେଇଥିଲେ। ଏହାଛଡ଼ା, ସେମାନେ ‘ଖଲିସ୍ତାନୀମାନେ ଶିଖ୍‌ ନୁହନ୍ତି’ ଏବଂ ‘ଖଲିସ୍ତାନୀ କାନଡୀୟ ଆତଙ୍କବାଦୀଙ୍କୁ କାନଡା ସମର୍ଥନ ନ କରୁ’ ବୋଲି ଉଲ୍ଲେଖ ଥିବା ପ୍ଲାକାର୍ଡ ଧରିଥିଲେ।

Indian community waves tricolour outside Canadian consulate to counter pro-Khalistani protesters
Image Courtesy of The Print

ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଖଲିସ୍ତାନୀ ସମର୍ଥକ ପ୍ରତିବାଦକାରୀମାନେ ତ୍ରିରଙ୍ଗା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି।

ଅନ୍ୟତମ ଭାରତୀୟ ବଂଶୋଦ୍ଭବ ସୁନୀଲ ଅରୋରା କହିଛନ୍ତି, ଖଲିସ୍ତାନୀମାନଙ୍କୁ ମୁକାବିଲା କରିବା ଲାଗି ଆମେ କନ୍‌ସୁଲେଟ୍ ଆଗରେ ଠିଆ ହୋଇଛୁ। ଖଲିସ୍ତାନୀମାନଙ୍କର ବିଭ୍ରାଟରେ ବାଧା ଦେବା ପାଇଁ ଆମେ ଚେଷ୍ଟା କରୁଛୁ। ଉଭୟ ଭାରତ ଓ କାନଡା ପ୍ରତି ସମର୍ଥନ ଜଣାଇ ଆମେ ଏଠାରେ ଉପସ୍ଥିତ ଅଛୁ। ସେମାନେ ଆମ କୂଟନୀତିଜ୍ଞମାନଙ୍କୁ ହତ୍ୟା କରିବେ ବୋଲି ବିଭ୍ରନ୍ତିକର ଖବର ଦେଉଛନ୍ତି। ଆମେ ଏହାକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ।

ସୂଚନାଯୋଗ୍ୟ, ଗତମାସରେ କାନଡାରେ ଖଲିସ୍ତାନ ଟାଇଗର୍‌‌ ଫୋର୍ସର ମୁଖ୍ୟ ହରଦୀପ ସିଂହ ନିଜ୍ଜାର୍‌ଙ୍କ ହତ୍ୟାକାଣ୍ଡ ଯୋଗୁଁ ଇଂଲଣ୍ଡ୍‌, ଆମେରିକା, କାନଡା ଓ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ମିସନ୍‌ ବାହାରେ ଶନିବାର ଦିନ ରାଲି କରିବେ ବୋଲି ଖଲିସ୍ତାନୀ ସମର୍ଥକମାନେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର