ସୁଦାନରେ ଗୃହଯୁଦ୍ଧ: ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ,  ବାହାରକୁ ନ ବାହାରିବାକୁ ଭାରତୀୟଙ୍କୁ ପରାମର୍ଶ

ଖାର୍ତୁମ୍: ସୁଦାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସେଠାକାର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଚାଲିଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଭାରତୀୟମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ ଦ୍ୱାରା ସ୍ଥାପିତ ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ କୁହାଯାଇଛି । ଦେଶର ରାଜଧାନୀ ଖାର୍ତୁମରେ ଅର୍ଦ୍ଧସାମରିକ ବାହିନୀ ଓ ସେନା ପରସ୍ପରର ଘାଟି ଉପରେ ଆକ୍ରମଣ କରିବା ପରେ ଆଫ୍ରିକୀୟ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଖାର୍ତୁମସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଗୁଳିବିନିମୟ ଓ ସଂଘର୍ଷ ର ଖବର କୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା, ଘର ଭିତରେ ରହିବା ଏବଂ ତୁରନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଦୟାକରି ଶାନ୍ତ ରୁହନ୍ତୁ ଏବଂ ପରବର୍ତ୍ତୀ ଅପଡେଟ୍ କୁ ଅପେକ୍ଷା କରନ୍ତୁ।

ସୁଦାନରେ ସାମରିକ ନେତା ଅବ୍ଦେଲ ଫତ୍ତାହ ଅଲ୍ ବୁରହାନ ଏବଂ ତାଙ୍କ ଦୁଇ ନମ୍ବର ଅର୍ଦ୍ଧସାମରିକ କମାଣ୍ଡର ମହମ୍ମଦ ହମଦାନ ଡାଗ୍ଲୋଙ୍କ ମଧ୍ୟରେ ଦେଶର ନିୟମିତ ସେନାରେ ପାରାମିଲିଟାରି ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ୍)କୁ ସାମିଲ କରିବା ନେଇ କିଛି ସପ୍ତାହ ଧରି ଉତ୍ତେଜନା ଲାଗି ରହିଥିବା ବେଳେ ଶନିବାର ଦିନ ହିଂସା କାଣ୍ଡ ଆରମ୍ଭ ହୋଇଯାଇଛି । ପ୍ରତ୍ୟକ୍ଷଦର୍ଶୀମାନେ ଦକ୍ଷିଣ ଖାର୍ତୁମର ଆରଏସଏଫ୍ ବେସ୍ ନିକଟରେ ସଂଘର୍ଷ ଏବଂ ପ୍ରବଳ ବିସ୍ଫୋରଣ ଏବଂ ଗୁଳିବିନିମୟ ବିଷୟରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର