ଚିନ୍ତା ବଢ଼ାଇଛି ମୁଦ୍ରାସ୍ଫୀତି : ସୁଧ ହାର ବଢ଼ାଇପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ବିଶ୍ବରେ ମୁଦ୍ରସ୍ଫୀତି ଗତ କିଛିମାସ ହେଲା ପ୍ରମୁଖ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆମେରିକାଠାରୁ ଆରମ୍ଭ କରି ୟୁରୋପ ଏବଂ ଅଷ୍ଟ୍ରେଲିଆ ଆଦିର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କିରବା ଲାଗି ସୁଧ ହାର ବଢ଼ାଇ ଚାଲିଛନ୍ତି। ଏହା ସତ୍ତ୍ବେ ଦରଦାମ ବୃଦ୍ଧି ଲୋକଙ୍କୁ ଅସୁବିଧାରେ ପକାଇଛି। ଅନେକ ବିକଶିତ ଦେଶରେ ମଧ୍ୟ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିଛି। କରୋନା ମହାମାରୀ ଏବଂ ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ବିଶ୍ବର ବିଭିନ୍ନ ଦେଶରେ ଦରଦାମ ବଢ଼ିଯାଇଛି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବଢ଼ାଇଛନ୍ତି। କିନ୍ତୁ ସୁଧ ହାର ଅଧିକ ବଢ଼ାଇବା ସପ‌କ୍ଷରେ ମଧ୍ୟ ନୀତି ନିର୍ମାତାମାନେ ନାହାନ୍ତି। ଏହା ହେଲେ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବା ଆଶଙ୍କା ରହିଛି। ତେଣୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିରନ୍ତର ଭାବେ ସମୟ ବ୍ୟବଧାନରେ ମାପିଚୁପି ସୁଧ ହାର ବଢ଼ାଉଛନ୍ତି।

ଆମେରିକା, ୟୁରୋପ ଏବଂ ‌ଅନ୍ୟ ଅଞ୍ଚଳର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନଙ୍କ କହିବାନୁଯାୟୀ, ମୁଦ୍ରାସ୍ଫୀତି ହ୍ରାସ ପାଇଥିଲେ ତାହା ଧାର୍ଯ୍ୟ ସ୍ତରକୁ ଖସିନାହିଁ। ଏଥିପାଇଁ ଆଗାମୀ ଦିନରେ ମଧ୍ୟ ଆହୁରି ସୁଧ ବଢ଼ିବା ସମ୍ଭାବନା ରହିଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାରକୁ ବଢ଼ାଇ ଚାଲିଛି। ଗତବର୍ଷ ମାର୍ଚ୍ଚରେ ଆମେରିକାରେ ସୁଧ ହାର ପାଖାପାଖି ଶୂନ ପ୍ରତିଶତ ସ୍ତରରେ ଥିବାବେଳେ ଏବେ ଏହା ୫ ପ୍ରତିଶତ ଉପରେ ପହଞ୍ଚିଲାଣି। ୨୦୨୩ରେ ଆଉ ୨ ଥର ଫେଡେରାଲ ରିଜର୍ଭ ସୁଧ ହାର ବଢ଼ାଇବ ବୋଲି ଅନୁମାନ କରାଯାଉଛି। ସେହିଭଳି ୟୁରୋ ମୁଦ୍ରା ପ୍ରଚଳିତ ୟୁରୋପୀୟ ସଂଘ ଅଞ୍ଚଳର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁଧ ହାର ପୁଣି ବଢ଼ାଇବା ସମ୍ଭାବନା ରହିଛି। ସେଠାରେ ସୁଧ ହାର ୨୦୦୧ ମସିହାଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଭାରତରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଆଗାମୀ ଦିନରେ ସୁଧ ହାର ବଢ଼ାଇବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର