କର୍ଣ୍ଣାଟକ ଉପବାଚସ୍ପତି ଆନନ୍ଦ ମାମାନିଙ୍କ ପରଲୋକ

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭାର ଉପବାଚସ୍ପତି ତଥା ବିଜେପି ବିଧାୟକ ଆନନ୍ଦ ମାମାନିଙ୍କର ଶନିବାର ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁତର ଅସୁସ୍ଥତା ପରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ହସ୍ପିଟାଲରେ ପହଞ୍ଚି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ସ୍ବଜନମାନଙ୍କୁ ସମବେଦନା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ମାମାନିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କର ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସେ ଜଣେ ବଳିଷ୍ଠ ନେତା ଥିଲେ ଓ ସାମାଜିକ ସଶକ୍ତୀକରଣ ପାଇଁ ବ୍ୟାପକଭାବେ କାମ କରୁଥିଲେ ବୋଲି ମୋଦୀ ଟ୍ବିଟ୍ କରିଛନ୍ତି।

ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମାମାନି ସୌଦତ୍ତି ବିଧାନସଭା ମଣ୍ଡଳୀର ପ୍ରତିନିଧିତ୍ବ କରୁଥିଲେ। ତାଙ୍କର ପିତା ଚନ୍ଦ୍ରଶେଖର ଏମ୍ ମାମାନି ମଧ୍ୟ ୧୯୯୦ ଦଶକରେ ବିଧାନସଭାର ଉପବାଚସ୍ପତି ଥିଲେ।

ସମ୍ବନ୍ଧିତ ଖବର