ଘର ଉପରେ ଝଲସୁଛି ଚୀନ୍ ଲାଇଟ୍‌: ଚାହିଦାରେ ଏଲ୍‌ଇଡି ଲାଇଟ୍‌ ମାଳ

ନୂଆଦିଲ୍ଲୀ: ଲଦାଖ୍‌ର ଗଲ୍‌ୱାନ୍‌ ଘାଟି‌ରେ ୨୦୨୦ରେ ଚୀନ୍ ସେନା ସହ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହେବା ପରେ ଉଭୟ ଦେଶର ସମ୍ପର୍କ ତିକ୍ତ ହୋଇଥିଲା। ଏହା ପରେ ଚୀନ୍ ସାମଗ୍ରୀ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଥିଲା। ଏହି ଘଟଣାକୁ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଦୀପାବଳି ସମୟରେ ଚୀନ୍ ଲାଇଟ୍‌ ଓ ଅନ୍ୟାନ୍ୟ ସାଜ୍ଜସଜା ସାମଗ୍ରୀ ବିକ୍ରି ଉପରେ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଦୀପାବଳି ସମୟରେ ଘରକୁ ସଜାଇବା ଲାଗି ଲୋକମାନେ ଯେଉଁ ଲିଚୁ ଓ ଏଲ୍‌ଇଡି ଲାଇଟ୍‌ର ମାଳ ଝୁଲାଇଛନ୍ତି ସେଥିରୁ ଅଧିକାଂଶ ଚୀନ୍‌ରୁ ଆସିଛି। ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବା ଲାଗି ଯେଉଁ ଆହ୍ବାନ ଦିଆଯାଇଛି ତାହା ଚୀନ୍‌ ସାମଗ୍ରୀର ଚାହିଦା କମ୍‌ କରିବାରେ ସଫଳ ହୋଇନଥିବା ମନେ ହେଉଛି।

ଦୀପାବଳି ପାଇଁ ଚୀନ୍‌ରୁ ବହୁ ସାମଗ୍ରୀ ଭାରତକୁ ଆମଦାନି କରାଯାଇଛି। ଚୀନ୍‌ର ଏକ ଗଣମାଧ୍ୟମ ରିପୋର୍ଟରେ ଏହି ଦାବି କରାଯାଇଛି। ଭାରତରୁ ଜିନିଷ ନେବା ଲାଗି ଚାହିଦା ଏତେ ଅଧିକ ଥିଲା ଯେ ଚୀନ୍‌ର ଉତ୍ପାଦନକାରୀମାନଙ୍କୁ ଶେଷ ସମୟ‌ରେ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଚୀନ୍‌ର ସମ୍ବାଦପତ୍ର ଗ୍ଲୋବାଲ୍‌ ଟାଇମ୍‌ସ ଅନୁସାରେ କିଛି ବ୍ୟବସାୟୀ ଗତ ଏପ୍ରିଲ୍‌ ମାସରୁ ଭାରତକୁ ସାମଗ୍ରୀ ପଠାଇବା ଆରମ୍ଭ କରିଥିଲେ। ସର୍ବାଧିକ ପରିମାଣର ଏଲ୍‌ଇଡି ଲାଇଟ୍‌ ଭାରତକୁ ଆସିଛି। ଗୁଣାତ୍ମକ ମାନ ଦୃଷ୍ଟିରୁ ସାମଗ୍ରୀଗୁଡ଼ିକ ଭଲ ରହୁଥିବା ବେଳେ ଦାମ୍‌ କମ୍ ଯୋଗୁଁ ଭାରତୀୟ ବ୍ୟବସାୟୀମାନେ ତାହା କିଣିବାକୁ ଆଗ୍ରହ ଦେଖାଉଛନ୍ତି। କେତେ ପରିମାଣର ଚୀନ୍ ସାମଗ୍ରୀ ଏଥର ଦୀପାବଳି ବଜାର ପାଇଁ ଭାରତ ଆସିଛି ତାହାର କୌଣସି ସଠିକ୍ ଆକଳନ ହୋଇନାହିଁ। ଲୋକାଲସର୍କଲ୍‌ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଭାରତୀୟମାନେ ଏଥର ଦୀପାବଳିରେ ୩୨୦୦ କୋଟି ଡଲାର ନିବେଶ କରିବେ। ‌ତାହାର ଏକ ବଡ଼ ଭାଗ ଚୀନ୍ ସାମଗ୍ରୀ କିଣିବାରେ ଖର୍ଚ ହୋଇପାରେ। ଚଳିତ ବର୍ଷର ପ୍ରଥମ ଛଅ ମାସରେ ଚୀନ୍‌ ପକ୍ଷରୁ ଭାରତକୁ ୭୧୦ ନିୟୁତ ଡଲାରର ଏଲ୍‌ଇଡି ଲାଇଟ୍‌ ଓ ତତ୍‌ସଂକ୍ରାନ୍ତୀୟ ଉତ୍ପାଦ ରନ୍ତାନି କରାଯାଇଥିଲା

ସମ୍ବନ୍ଧିତ ଖବର