ଗୁଜରାଟରେ କେଜ୍ରିୱାଲଙ୍କ ବଡ଼ ଘୋଷଣା: ଆପ୍‌ କ୍ଷମତାକୁ ଆସିଲେ ପୁରୁଣା ପେନସନ୍‌ ଯୋଜନା ଲାଗୁ କରିବ

ବଡ଼ୋଦରା ବିମାନ ବନ୍ଦରରେ ‘ମୋଦୀ-ମୋଦୀ’ ସ୍ଲୋଗାନକୁ ସାମ୍ନା କଲେ

ଭଦୋଦରା: ଗୁଜରାଟ ବିଧାନସଭା ନିର୍ବ‌ାଚନ ପାଇଁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟରେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି। କେଜ୍ରିୱାଲ ଆଜି ବଡ଼ୋଦରାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି, ଯଦି ଆପ୍‌ ଗୁଜରାଟରେ କ୍ଷମତାକୁ ଆସେ ତେବେ ‌ସେ ରାଜ୍ୟରେ ପୁରୁଣା ପେନସନ୍‌ ଯୋଜନା ଲାଗୁ କରିବେ। ଟାଉନ ହଲ୍‌ ମିଟିଂରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କେଜ୍ରିୱାଲ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି।

କେଜ୍ରିୱାଲ କହିଛନ୍ତି, ଗୁଜରାଟରେ ସରକାରୀ କର୍ମଚାରୀ ପୁରୁଣା ପେନସନ୍‌ ଯୋଜନା କାର୍ଯ୍ୟକାରୀ କରିବାପାଇଁ ଦାବି କରି ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ସେମାନଙ୍କୁ ମୁଁ ନିଶ୍ଚିତ କରାଉଛି ଯେ ଯଦି ଆପ୍‌ ସରକାର ଗଠନ କରିବ ତେବେ ଗୁଜରାଟରେ ପୁରୁଣା ପେନସନ୍‌ ଯୋଜନା କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ପୂର୍ବରୁ କହିଥିଲେ ଯେ ଯଦି ତାଙ୍କ ଦଳ ଗୁଜରାଟରେ କ୍ଷମତାକୁ ଆସେ ତେବେ ସେ ପୁରୁଣା ପେନସନ୍‌ ଯୋଜନା କାର୍ଯ୍ୟକାରୀ କରିବେ। କେଜ୍ରିୱାଲ ଆଜି ବଡ଼ୋଦରା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ମୋଦୀ ସମର୍ଥକଙ୍କ ଭିଡ଼କୁ ସାମ୍ନା କରିବାକୁ ପଡ଼ିଥିଲା। ମୋଦୀ-ମୋଦୀ ସ୍ଲୋଗାନ ଭିତରେ କେଜ୍ରିୱାଲ ବିମାନ ବନ୍ଦରରୁ ବାହାରିଥିଲେ।

ସମ୍ବନ୍ଧିତ ଖବର