ଗାୟତ୍ରୀବାଳାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ

ନୂ୍ଆଦିଲ୍ଲୀ : ଶନିବାରଠାରୁ କେନ୍ଦ୍ର ସାହିତ୍ୟ ଅକାଦେମିର ଛଅ ଦିନିଆ ‘ବାର୍ଷିକ ସାହିତ୍ୟୋତ୍ସବ-୨୦୨୩’ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଅକାଦେମି ପକ୍ଷରୁ ଏଭଳି ଏକ ବଡ଼ ଧରଣର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ୬୦ରୁ ଅଧିକ ଭାଷାକୁ ପ୍ରତିନିଧିତ୍ବ କରୁଥିବା ୪୦୦ରୁ ଅଧିକ ‌ସାହିତ୍ୟିକ ୪୦ଟି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ସାହିତ୍ୟୋତ୍ସବର ମୁ୍ଖ୍ୟ ଆକର୍ଷଣ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର-୨୦୨୨ ଆଜି ସଂଧ୍ୟାରେ ପ୍ରଦାନ କରାଯାଇଛି। ସ୍ଥାନୀୟ କମାନୀ ପ୍ରେକ୍ଷାଳୟରେ ଉତ୍ସବର ଆୟୋଜନ କରାଯାଇଥିଲା। ଅକାଦେମି ସଭାପତି ମାଧବ କୌଶିକ ଦେଶର ୨୪ଟି ଭାଷାର ପୁରସ୍କୃତ ଲେଖକମାନଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକ ଲେଖକଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିଲା।

ଉତ୍ସବରେ ବିଶିଷ୍ଟ ଓଡ଼ିଆ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। କଳିଙ୍ଗ ଯୁଦ୍ଧୋତ୍ତର କାହାଣୀ ଉପରେ ଆଧାରିତ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ଗାୟତ୍ରୀବାଳା ପୁରସ୍କୃତ ହୋଇଛନ୍ତି। ଯୁବ ଓ ମୁଖ୍ୟ ବର୍ଗରେ ପୁରସ୍କାର ପାଇବାରେ ‌େସ ହେଉଛନ୍ତି ପ୍ରଥମ ଭାରତୀୟ କବୟିତ୍ରୀ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଇଂରାଜୀ ଲେଖକ ଉପମନ୍ୟୁ ଚାଟାର୍ଜୀ ଯୋଗଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାରୋହରେ ସାହିତ୍ୟିକ, ଲେଖକ, ବୁଦ୍ଧିଜୀବୀ, କଳା ଓ ସଂସ୍କୃତିପ୍ରେମୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର