ନୂଆ ସଂସଦ ଭବନରେ ଲଗାଯାଇଛି କୋଣାର୍କ ଚକ, ଜାଣନ୍ତୁ ଏହାର ଓଜନ କେତେ ?

ନୂଆଦିଲ୍ଲୀ : ଭାରତର ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ରେ ଉଦ୍‌ଘାଟନ କରିବେ। ୬୪ ହଜାର ୫୦୦ ବର୍ଗ ମିଟର କ୍ଷେତ୍ରଫଳ ବିଶିଷ୍ଟ ଚାରି ମହଲା ସଂସଦ ଭବନରେ ତିନିଟି ମୁଖ୍ୟ ଦ୍ବାର ରହିଛି। ତିନିଟି ଦ୍ବାର ‌ହେଲା ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ଚକ ଶୋଭାପାଉଥିବା ବେଳେ ବାମ କାନ୍ଥରେ ସର୍ଦ୍ଦାର ପଟେଲ ଓ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଲାଗିଛି।

ସେହି ଭଳି ଜ୍ଞାନ ଦ୍ବାରର ଡାହାଣ କାନ୍ଥରେ ଗାର୍ଗୀ- ଯାଜ୍ଞବଲକ୍ୟ ସମ୍ବାଦ ଓ ନାଳନ୍ଦା ପ୍ରତିମୂର୍ତ୍ତି ଲାଗିଥିବା ବେଳେ ଶକ୍ତି ଦ୍ବାର ଡାହାଣ କାନ୍ଥରେ ଚାଣକ୍ୟ ଓ ବାମ କାନ୍ଥରେ ମହାତ୍ମା ଗାନ୍ଧୀ-ଲବଣ ସତ୍ୟାଗ୍ରହର ପ୍ରତିମୂର୍ତ୍ତି ଶୋଭାପାଉଛି। ନୂଆ ସଂସଦ ଭବନର କର୍ମଦ୍ବାରରେ ଲାଗିଥିବା କୋଣାର୍କ ଚକ ନିର୍ମାଣ ଗତ ୫ ମାସ ତଳୁ ଆରମ୍ଭ ହୋଇଥିଲା। ଗାଜିଆବାଦର ଲୋନିରେ ୩୦ରୁ ଅଧିକ କାରିଗର ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହାର ଓଜନ ରହିଛି ୩ ହଜାର କିଲୋଗ୍ରାମ। ସମ୍ପୂର୍ଣ୍ଣ ରୂପେ ଏହା ପିତ୍ତଳରେ ତିଆରି ହୋଇଛି। ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ୨୦୨୧ ଜାନୁଆରି ୧୫ରେ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର