ପାଳନ ହେଉନି କମିସନର୍‌ଙ୍କ ନିର୍ଦ୍ଦେଶ

ଦାୟିତ୍ବକୁ ନେଇ ସ୍ବାସ୍ଥ୍ୟ ଓ ସାନିଟେସନ୍‌ ଅଧିକାରୀଙ୍କ ଟଣାଓଟରା

କଟକ: ପୌର ନିଗମରେ ଗତ ଜାନୁଆରିରେ ସ୍ବାସ୍ଥ୍ୟ ବିଭାଗରେ ଏକ ପରିବର୍ତ୍ତନ କରାଯାଇଥିଲା। ମାତ୍ର ତାହା ପାଳନ କରାଯାଉ ନଥିବା ଅଭିଯୋଗ ହୋଇଛି। ନିଗମରେ କାର୍ଯ୍ୟରତ ଏମ୍‌ପିଏଚ୍‌ଏସ୍‌ଙ୍କୁ ସ୍ବାସ୍ଥ୍ୟ ବିଭାଗରୁ ବଦଳି କରାଗଲା। ସେମାନଙ୍କୁ ସାନିଟେସନ୍‌ ଦାୟିତ୍ବରେ ଥିବା ଡେପୁଟି କମିସନର୍‌ଙ୍କ ଅଧୀନରେ କାମ କରିବାକୁ କୁହାଗଲା। ପ୍ରତି ୧୫ଦିନ‌ରେ ଥରେ କାର୍ଯ୍ୟକୁ ନେଇ ସମୀକ୍ଷା ହେବା ସହ ମାସ ଶେଷରେ ସେମାନଙ୍କ କାମ ରିର୍ପୋଟ ଅନୁସାରେ କମିସନର୍‌ଙ୍କ ଜରିଆରେ ସେମାନଙ୍କୁ ଦରମା ଦିଆଯିବ ବୋଲି କୁହାଗଲା। ରାଜ୍ୟ ସରକାରଙ୍କ ଏପରି ନିର୍ଦ୍ଦେଶ ପରେ ଏନେଇ କମିସନର୍‌ ନିଖିଲ ପୱନ୍‌ କଲ୍ୟାଣ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ଏହାକୁ ପାଳନ କରା ନଯାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କ ଦରମା ପାସ୍‌ କରିଦିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କମିସନର୍‌ ‌ନିଖିଲ୍‌ ପୱନ୍ କଲ୍ୟାଣ ଅସନ୍ତୋଷ ପ୍ରକାଶ କରିବା ସହ ଦୁଇଦିନ ମଧ୍ୟରେ ଜବାବ୍‌ ରଖିବାକୁ ଏକ କାରଣଦର୍ଶାଅ ନୋଟିସ୍‌ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜାରି କରିଛନ୍ତି। ଏଭଳି ସ୍ଥିତିରେ ପରିମଳ ବିଭାଗ ଓ ଏସ୍‌ଆଇଙ୍କ ମଧ୍ୟରେ ଛନକା ପଶିଛି।
ପୌର ନିଗମର ସ୍ବାସ୍ଥ୍ୟ ବିଭାଗରେ ଗତ ଜାନୁଆରିରେ ଏକ ବଡ ପରିବର୍ତ୍ତନ କରାଯାଇଥିଲା। ଗତବର୍ଷ ନଭେମ୍ବରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ପୌର ନିଗମ ମଧ୍ୟରେ ଏକ ଆଲୋଚନା ହୋଇଥିଲା।

ଏହାପରେ ଜାନୁଆରି ୨୯ରେ କମିସନର ଶ୍ରୀ କଲ୍ୟାଣ ଏକ ଚିଠି (ନଂ- ୨୪୨)ରେ ବିଜ୍ଞପ୍ତି ବାହାର କରିଥିଲେ। ଏଥିରେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ସହରର ପରିମଳ ବ୍ୟବସ୍ଥା ସାନିଟେସନ୍‌ ବିଭାଗକୁ ଆସିଥିଲା। ନଗର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଅଧୀନରେ କାମ କରୁଥିବା ୧୬ଜଣ ମଲ୍ଟିପର୍ପସ୍‌ ହେଲଥ୍‌ ସୁପରଭାଇଜର ତଥା ସାନିଟାରି ଇନ୍‌ସପେକ୍ଟର୍‌ମାନେ ଡେପୁଟି କମିସନର୍‌ (ସାନିଟେସନ୍‌) ସଞ୍ଜୀବିତା ରାୟଙ୍କ ଅଧୀନକୁ ଆସିଥିଲେ। ଏନେଇ କମିସନର ସିଡିଏମ୍‌ଓଙ୍କ କାର୍ଯ୍ୟାଳୟକୁ ମଧ୍ୟ ଚିଠି କରିଥିଲେ। ମାତ୍ର ଏହା ପାଳନ ହେଉ ନଥିବା ଦେଖିବାକୁ ମିଳିଛି। ‌ଗୋଟିଏ ପଟେ ଡେପୁଟି କମିସନର୍‌ଙ୍କୁ ସାନିଟେସନ ଦାୟିତ୍ବ ଦିଅଯାଇଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ପରିମଳକୁ ନେଇ ସ୍ବାସ୍ଥ୍ୟ ଅଧିକାରୀ ଉତ୍ତର ରଖୁଥିବା ଦେଖିବାକୁ ମିଳିଥିଲା। ଏପରିକି ମୋ ୱାର୍ଡ କାର୍ଯ୍ୟକ୍ରମରେ ବି ୱାର୍ଡର ପରିମଳ ବ୍ୟବସ୍ଥାକୁ ଦେଖୁଥିଲେ। ଏହା ମଧ୍ୟରେ ୪ମାସ ବିତିଯାଇଇଥିବା ବେଳେ ଡେପୁଟି କମିସନର୍‌ କୌଣସି ରିପୋର୍ଟ ଦାଖଲ କରି ନଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ସେମାନଙ୍କ ବିଲ୍‌ ପାସ୍‌ କରାଯାଇଛି। ଏହାକୁ ନେଇ କମିସନର୍‌ ଅସ‌େନ୍ତାଷ ପ୍ରକାଶ କରିବା ସହ ସରକାରୀ ବିଜ୍ଞପ୍ତିକୁ ଅବମାନା କରିଥିବାରୁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଚିଠି ନମ୍ବର ୪୮୦୧ରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ନିଗମର ପରିମଳରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଦାୟିତ୍ବକୁ ନେଇ ଚାଲିଥିବା ଟଣାଓଟାର ସାଧାରଣରେ ଆଲୋଚାନର ବିଷୟ ହୋଇଛି।

ସମ୍ବନ୍ଧିତ ଖବର