ମୋତେ ଦଳ ଚଳାଇବାକୁ ଦେଲେ ନାହିଁ: ଲଭଲି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ଦେଶରେ ମାହୋଲ ସରଗରମ ଥିବାବେଳେ ଆଜି କଂଗ୍ରେସକୁ ବଡ ଝଟକା ଲାଗିଛି | କାରଣ ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଅରବିନ୍ଦର ସିଂ ଲଭଲି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦେବାର କାରଣ ପଛରେ ଲୋକସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି (ଆପ) ସହ ହୋଇଥିବା ମେଣ୍ଟକୁ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ କଂଗ୍ରେସ ୟୁନିଟ୍ ଆପ ସହ ମେଣ୍ଟକୁ ଦୃଢ ବିରୋଧ କରିଥିଲା, କିନ୍ତୁ ଦଳର ହାଇକମାଣ୍ଡ ଏହା ଶୁଣିନଥିଲେ । ତାଙ୍କର ଚାରି ପୃଷ୍ଠାର ଇସ୍ତଫା ପତ୍ରରେ ସେ ଦଳର ଦିଲ୍ଲୀ ଦାୟିତ୍ୱରେ ଥିବା ଦୀପକ ବାବରିଆଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଦାୟିତ୍ୱରେ ଥିବା ବ୍ୟକ୍ତି ମୋତେ ପଙ୍ଗୁ କରି ରଖିଥିଲେ, ସେ ମୋତେ ଦଳ ଚଳାଇବାକୁ ଅନୁମତି ଦେଉ ନଥିଲେ। ଲଭଲି ଦୁଃଖପ୍ରକାଶ କରି କହିଛନ୍ତି ଯେ ତାଙ୍କ ପରାମର୍ଶରେ ପାର୍ଟିରେ କୌଣସି ନିଯୁକ୍ତି ଦିଆଯାଇ ନଥିଲା। କେବଳ ଏତିକି ନୁହେଁ, ରାଜ୍ୟ କଂଗ୍ରେସର ସହମତି ବିନା ଆପ ସହିତ ଏକ ମେଣ୍ଟ ହୋଇଥିଲା। ତିନିଟି ଆସନ ପାଇଁ ପ୍ରାର୍ଥୀ ଚୟନରେ ମଧ୍ୟ ରାଜ୍ୟ ୟୁନିଟର ସମ୍ମତି ନିଆଯାଇନଥିଲା। ଟିକେଟ୍ ଦେବାରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ ଦଳର ନେତା ଓ କର୍ମୀଙ୍କ ବିରୋଧ ଏବଂ ଭାବନାକୁ ମଧ୍ୟ ବିଚାରକୁ ନିଆଯାଇନଥିଲା।

ସମ୍ବନ୍ଧିତ ଖବର