ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ: ଆଜିଠୁ କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା / ସମ୍ବଲପୁର / ନୂଆଦିଲ୍ଲୀ : ଝାରସୁଗୁଡ଼ାରେ ପହଞ୍ଚିଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସଦସ୍ୟ। ଶୁକ୍ରବାର ସନ୍ଧ୍ୟାରେ ଏହି ଟିମ୍ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ ପରେ ବୁର୍ଲା ଯାଇ ଅଶୋକ ନିବାସରେ ରାତ୍ର ରହଣି କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଶନିବାରରୁ ଏହି ଟିମ୍ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିବେ। ପରିଦର୍ଶନ ସାରି ୨୮ ତାରିଖରେ ଟ୍ରିବ୍ୟୁନାଲ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ବୋଲି ସୂଚନା ମିଳିଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏଏମ୍ ଖାନଵାଲିକରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର ଅଛନ୍ତି। ଏହାସହିତ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ରହିଛନ୍ତି।

ଟ୍ରିବ୍ୟୁନାଲଙ୍କ ବିଚାର ପ୍ରକ୍ରିୟାରେ ଏହି ଗସ୍ତ ଓ ତଥ୍ୟ ଗୁରୁତ୍ବପୂର୍ଣ୍ଣ ହେବ। କାରଣ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ପ୍ରାରମ୍ଭିକ ପର୍ଯ୍ୟାୟରେ (ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ)ର ଶୁଣାଣି ଅବସରରେ ୧୯୭୫ରୁ ୨୦୦୫ ପର୍ଯ୍ୟନ୍ତ ହୀରାକୁଦରେ କେତେ ପରିମାଣର ଜଳ ପ୍ରବାହିତ ହୋଇଥିଲା, ଜଳ ପ୍ରବାହ କିପରି ଥିଲା, ଛତିଶଗଡ଼ ଦ୍ବାରା ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ କରାଯିବା ପରେ ହୀରାକୁଦ ଏବଂ ମହାନଦୀ ଉପରେ କି ପ୍ରଭାବ ପଡ଼ିଛି ତା’ର ଅନୁଧ୍ୟାନ କରିବେ ବୋଲି କହିଥିଲେ। ସେହିଭଳି ବର୍ଷାଜଳ କିଭଳି ଏହି ନଦୀକୁ ପ୍ରଭାବିତ କରିଛି କିମ୍ବା ଜଳ ସ୍ରୋତକୁ ଛତିଶଗଡ଼ ଅଟକାଇଛି, ଏସବୁ ସଂପର୍କରେ ନିଷ୍ପତ୍ତି ‌ନେବା ପୂର୍ବରୁ ସଂପୂର୍ଣ୍ଣ ତର୍ଜମା କରିବେ ବୋଲି ଶୁଣାଇଥିଲେ।

ତଦନୁସାରେ ଓଡ଼ିଶା ସରକାର ଟ୍ରିବ୍ୟୁନାଲଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଥିଲେ। ବ୍ୟାରେଜ୍‌ ନିର୍ମାଣ ଯୋଗୁ ଚାଷ, ବିଦ୍ୟୁତ, ଶକ୍ତି ଓ ଚିଲିକା ହ୍ରଦ କିଭଳି ପ୍ରଭାବିତ ହୋଇଛି ସେ ସଂକ୍ରାନ୍ତ ବିଶଦ ତଥ୍ୟ ରଖାଯାଇଥିଲା। ମଧ୍ୟବର୍ତ୍ତକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ୨୦୧୯ ଫେବୁଆରି ୯ ତାରିଖରେ ରାୟକୁ ସଂରକ୍ଷିତ କରିଥିଲେ। ଏବେ ବି ଏହି ରାୟ ପ୍ରକାଶ କରାଯାଇ ନାହିଁ।

WordPress.com

ଅନ୍ୟପକ୍ଷରେ, ଟ୍ରିବ୍ୟୁନାଲଙ୍କ ହୀରାକୁଦ ଡ୍ୟାମ୍‌ ପରିଦର୍ଶନ ମାମଲାକୁ ନୂଆ ଦିଗ ପ୍ରଦାନ କରିପାରେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ବିଶେଷକରି ଅଣମୌସୁମୀ ସମୟରେ ହୀରାକୁଦରେ ମହାନଦୀ ଜଳ ପ୍ରବାହ କମିବା ଫଳରେ ଏହାର ସିଧାସଳଖ ପ୍ରଭାବ କିଭଳି ଜଳସେଚନ, ବିଦ୍ୟୁତ୍‌ ଉତ୍ପାଦନ, ଶିଳ୍ପଭିତ୍ତିକ ଜଳ ଯୋଗାଣ ଓ ପାନୀୟ ଜଳ ଯୋଗାଣ ଉପରେ ପଡ଼ିଛି, ତାହା ଟ୍ରିବ୍ୟୁନାଲ ପ୍ରତ୍ୟକ୍ଷ କରିବା ପରେ ଆଭିମୁଖ୍ୟ ବଦଳାଇପାରନ୍ତି।

ବିଶେଷଜ୍ଞ ଆହୁରି କହୁଛନ୍ତି ଯେ ଟ୍ରିବ୍ୟୁନାଲଙ୍କ ହୀରାକୁଦ ପରିଦର୍ଶନର ଅନ୍ୟ ଏକ ଗୁରୁତ୍ବପୁର୍ଣ୍ଣ ଦିଗ ହେଉଛି ୧୯୪୭ର ବ୍ୟବସ୍ଥା ଉପରେ ଆଲୋକପାତ କରିବା। ୧୯୪୭ ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର‌୍)ରେ ଥିବା ବ୍ୟବସ୍ଥାକୁ ଛତିଶଗଡ଼ ଉଲ୍ଲଂଘନ କରିଥିବା ନେଇ ଓଡ଼ିଶାର ଯେଉଁ ଅଭିଯୋଗ ରହିଛି ତାହା ଶୁଣାଣି ପ୍ରକ୍ରିୟାରେ ବିଶେଷ ଗୁରୁତ୍ବ ବହନ କରେ। ପୂର୍ବରୁ ଟ୍ରିବ୍ୟୁନାଲ ଛତିଶଗଡ଼ର ବ୍ୟାରେଜ ଅଞ୍ଚଳକୁ ପରିଦର୍ଶନ କରିସାରିଛନ୍ତି। ଏବେ ହୀରାକୁଦ ଡ୍ୟାମ ସ୍ଥିତି ଅନୁଧ୍ୟାନ କରିବେ। ଛତିଶଗଡ଼ ମହାନଦୀରେ ନିର୍ମାଣ କରିଥିବା ବହୁ ସଂଖ୍ୟକ ବ୍ୟାରେଜ ପାଇଁ ହୀରାକୁଦ ବନ୍ଧ ସାଂଘାତିକ କ୍ଷତିଗ୍ରସ୍ତ ହେଉଥିବା ନେଇ ଟ୍ରିବ୍ୟୁନାଲ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଦେଖିବେ। ହୀରାକୁଦ ଜଳ ଭଣ୍ଡାରରେ ଜଳପତ୍ତନ ମାପ (ହାଇଡ୍ରୋଗ୍ରାଫି ସ‌ର୍ଭେ) କାମର ସବିଶେଷ ବିବରଣୀ ସଂପର୍କରେ ମଧ୍ୟ ଟ୍ରିବ୍ୟୁନାଲ ତଥ୍ୟ ଲୋଡ଼ିପାରନ୍ତି ବୋଲି ଆଶା କରାଯାଉଛି।

ଉଲ୍ଲେଖଥାଉକି, ଶନିବାର ହୀରାକୁଦ ଜଳଭଣ୍ଡାରର କନକତୋରା ନିକଟ ଲୁହାବଗା ନିକଟରେ କେଲୋନଦୀ କୂଳରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ ସତ୍ୟାଗ୍ରହ କରାଯିବ। ଟ୍ରିବ୍ୟୁନାଲଙ୍କ ଗସ୍ତକୁ ଆଖି ଆଗରେ ରଖି ଶନିବାର ଏହି ସତ୍ୟାଗ୍ରହ କରାଯାଉଥିବା ନେଇ ଆନ୍ଦୋଳନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର