ମାରୁତି ଗାଡ଼ି ଏବେ କମ ଦିନରେ ମିଳିବ: କମିବ ପ୍ରତୀକ୍ଷା ସମୟ, ରେଳବାଇ ସହଯୋଗରେ କମ୍ପାନୀ ନେଲା ବଡ ପଦକ୍ଷେପ

ଅହମଦାବାଦ: ମାରୁତି ସୁଜୁକି କାରର ସମଗ୍ର ଭାରତରେ ଅଧିକ ଚାହିଦା ରହିଛି। କାର ପ୍ରେମୀମାନେ କାର ବୁକ୍ କରିବା ପରେ ଅନେକ ସମୟ ପ୍ରତୀକ୍ଷା କରିଥାନ୍ତି। କିନ୍ତୁ ବର୍ତ୍ତମାନ ଏହି ପ୍ରତୀକ୍ଷା ସମୟ କମ୍ ହେବ। ବାସ୍ତବରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଅଟୋମୋବାଇଲ ଇନ-ପ୍ଲାଣ୍ଟ ରେଳ ସାଇଡିଂ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ମାରୁତି ସୁଜୁକି ଗୁଜୁରାଟର ହାନସଲପୁରରେ ଏହି କାରଖାନା ସ୍ଥାପନ କରିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଉଦଘାଟନ କରିଛନ୍ତି। ବାସ୍ତବରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତରେ ଅଛନ୍ତି, ଯେଉଁଥିରେ ସେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିଥିଲେ।
ଏହି ସାଇଡିଂ ପ୍ରୋଜେକ୍ଟ ମାରୁତି ଯାନଗୁଡିକର ପ୍ରେରଣ କ୍ଷମତା ବୃଦ୍ଧି କରିବ । ସୂଚନାନୁସାରେ, ପ୍ରାୟ ୯୭୬ କୋଟି ଟଙ୍କା ବ୍ୟୟରେ ଭାରତୀୟ ରେଳବାଇ ଏବଂ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ମିଳିତ ଭାବେ ଏହି ନୂତନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ବାସ୍ତବରେ ପିଏମ ମୋଦୀଙ୍କ ଗତି ଶକ୍ତି ମିଶନ ଅଧୀନରେ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି।

ମାରୁତିର କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି ଯେ ଏହି ନୂତନ ପ୍ରକଳ୍ପ ସହିତ କମ୍ପାନୀ ବାର୍ଷିକ ପ୍ରାୟ ୫୦ ହଜାର ଟ୍ରକ ଯୋଗେ କାର ଡେଳିଭରୀ କାର୍ଯ୍ୟ କରିବାର ଆଉ ଆବଶ୍ୟକତା ରହିବ ନାହିଁ। ବର୍ତ୍ତମାନ ରେଳବାଇରୁ କମ୍ପାନୀର କାର୍ ପଠାଇବା ପ୍ରାୟ ୨୬ ପ୍ରତିଶତ ଅଟେ, ଯାହା ଭବିଷ୍ୟତରେ ୪୦ ପ୍ରତିଶତକୁ ବୃଦ୍ଧି ପାଇବ। ଏହା ଦ୍ୱାରା ପରିବହନ ସମୟରେ ୫୦ ହଜାର ଟ୍ରକ୍ ଯୋଗୁ ହେଉଥିବା ପ୍ରଦୂଷଣ ହ୍ରାସ ପାଇବ।

ଆକଳନ ଅନୁଯାୟୀ, ରେଳବାଇରୁ କାର୍ ପଠାଇବା ବାର୍ଷିକ ୧୬୫୦ ଟନ୍ କାର୍ବନ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରିବ। ଏଥି ସହିତ ଟ୍ରକରେ ବ୍ୟବହୃତ ବହୁ ପରିମାଣର ଡିଜେଲ ମଧ୍ୟ ସଞ୍ଚୟ ହୋଇପାରିବ । ନୂତନ ରେଳ ସାଇଡିଂ ଠାରୁ ଦେଶର ବିଭିନ୍ନ ରାଜ୍ୟକୁ ବାର୍ଷିକ ୩ ଲକ୍ଷ ଯାନ ପଠାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର