ସହିଦଙ୍କ ସମ୍ମାନାର୍ଥେ ‘ମେରୀ ମାଟି ମେରା ଦେଶ’ ଅଭିଯାନ

୧୦୩ତମ ମନ୍ କୀ ବାତ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୧୦୩ତମ ମନ୍‌ କୀ ବାତ୍‌ରେ ସହିଦଙ୍କ ସମ୍ମାନାର୍ଥେ ‘ମେରୀ ମାଟି ମେରା ଦେଶ’ ଅଭିଯାନ ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଅମର ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଅଭିଯାନ ଅଧୀନରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀ କହିଲେ, ସହିଦଙ୍କ ସ୍ମୃତିରେ ଦେଶର ଲକ୍ଷ ଲକ୍ଷ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଶିଳାଲେଖ ମଧ୍ୟ ସ୍ଥାପନ କରାଯିବ। ଏହା ବ୍ୟତୀତ ଦେଶର କୋଣ-ଅନୁକୋଣରୁ ୭୫୦୦ କଳସରେ ମାଟି ନେଇ ଅମୃତ କଳସ ଯାତ୍ରା ଦିଲ୍ଲୀରେ ଶେଷ କରାଯିବ। ଏହି ଯାତ୍ରା ସହିତ ଦେଶର ବିଭିନ୍ନ ସ୍ଥାନରୁ ଚାରା ମଧ୍ୟ ନିଆଯିବ। ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ୭୫୦୦ କଳସରେ ପହଞ୍ଚିଥିବା ମାଟିକୁ ଢାଳି ସେଥିରେ ଚାରାଗୁଡ଼ିକୁ ରୋପଣ କରାଯିବ। ଏହାର ନାମ ହେବ ‘ଅମୃତ ବାଟିକା’। ଏହି ଅମୃତ ବାଟିକା ହେବ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମହାନ୍ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିସହ ଚଳିତ ବର୍ଷ ବନ୍ୟା ଓ ପ୍ରବଳ ବର୍ଷାରୁ ଅନେକ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିବାରୁ ସେ ଏନ୍‌ଡିଆର୍‌ଏଫ୍‌ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେରିକା ଶହେରୁ ଅଧିକ ବିରଳ ତଥା ପ୍ରାଚୀନ କଳାକୃତି ଭାରତକୁ ଫେରାଇ ଦେଇଛି। ଏଗୁଡ଼ିକ ଭାରତର ବିଭିନ୍ନ ମନ୍ଦିରରୁ ଚୋରି ହୋଇ ବିଦେଶକୁ ଚାଲାଣ ହୋଇଥିଲା। ଏହି କଳାକୃତିଗୁଡିକ ୨୫୦ରୁ ୨୫୦୦ ବର୍ଷର ପୁରୁଣା। ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ‘ଭୋଜପତ୍ର’ (ଭୁର୍ଜପତ୍ର)ର ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉତ୍ତରାଖଣ୍ଡ ମହିଳାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ- ମୁଁ ଉତ୍ତରାଖଣ୍ଡ ମହିଳାଙ୍କଠାରୁ ଅନେକ ଚିଠି ପାଇଛି। ସେମାନେ ଗତ ବର୍ଷ ଅକ୍ଟୋବରରେ ଭୁର୍ଜପତ୍ରରେ ମୋତେ ଏକ ନିଆରା କଳାକୃତି ଉପହାର ଦେଇଥିଲେ। ପ୍ରାଚୀନ କାଳରେ ଶାସ୍ତ୍ର ଓ ପୁସ୍ତକାଦି ଭୁର୍ଜପତ୍ରରେ ଲେଖା ହେଉଥିଲା। ମହାଭାରତ ମଧ୍ୟ ଭୁର୍ଜପତ୍ରରେ ଲେଖାଯାଇଥିଲା। ଆଜି ଦେବଭୂମିର ଏହି ମହିଳାମାନେ ଭୁର୍ଜପତ୍ରରୁ ଅତି ସୁନ୍ଦର କଳାକୃତି ଏବଂ ସ୍ମରଣିକା ପ୍ରସ୍ତୁତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତ୍‌ର ୧୦୩ତମ ସଂସ୍କରଣରେ କହିଛନ୍ତି ଯେ, ଡ୍ରଗ୍ ବିରୋଧରେ ଭାରତ ବ୍ୟାପକ ପଦକ୍ଷେପ ନେଇଛି। ପ୍ରାୟ ୧.୫ ଲକ୍ଷ କିଲୋଗ୍ରାମ୍ ଡ୍ରଗ୍ସ ଜବତ କରିବା ପରେ ଏହାକୁ ନଷ୍ଟ କରାଯାଇଛି। ୧୦ ଲକ୍ଷ କିଲୋଗ୍ରାମ୍ ଡ୍ରଗ୍ସ ନଷ୍ଟ କରିବାରେ ଭାରତ ମଧ୍ୟ ଏକ ନିଆରା ରେକର୍ଡ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର