ନୂଆଦିଲ୍ଲୀ: ମରିସସରେ ଶୁଭିଲା ବିହାରୀ ସଙ୍ଗୀତ । ବିହାରର ପାରମ୍ପରିକ ଗୀତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରାଗଲା ସ୍ବାଗତ । ମରିସସରେ ପହଞ୍ଚିବା ପରେ ହିଁ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିହାରର ପାରମ୍ପରିକ ଗୀତ ଗାଇ ମୋଦୀଙ୍କୁ ମହିଳାମାନେ ସ୍ବାଗତ କରିଥିବା ବେଳେ ମୋଦୀ ମଧ୍ୟ ତାଳି ମାରୁଥିବା ଦେଖିବାକୁ ମିଳିଛି ।

Advertisment

ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ମରିସସରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ । ପରେ ପରେ ମୋଦୀଙ୍କ ସ୍ବାଗତ ପାଇଁ ବାଟ ବାଟିକା ବିଭିନ୍ନ କାର୍ୟ୍ୟକ୍ରମ କରାଯାଇଥିଲା । ରାସ୍ତା ସାରା ମୋଦୀ ମରିସସରେ ରହୁଥିବା ଭାରତୀୟଙ୍କୁ ଭେଟିଥିଲେ, ସେମାନଙ୍କ ସହ ହାତ ମିଳାଇଥିଲେ ଏବଂ କଥା ହୋଇଥିଲେ । ତ୍ରିରଙ୍ଗା ପତାକା ଧରି ମୋଦୀଙ୍କୁ ସ୍ବାଗତ କରିବାକୁ ଆସିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ । ତେବେ କୁନିକୁନି ପିଲାଙ୍କ ସହ ହାତ ମିଳାଇ ସେମାନଙ୍କ ସହ ଫଟୋ ନେଇଥିଲେ ମୋଦୀ ।

ତେବେ ଦୁଇ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ମୋଦୀ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଇଛନ୍ତି ମୋଦୀ । ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରୁଛି ଏଥିସହ ଭାରତ ମରିସସର ବୃହତ୍ତମ ବାଣିଜ୍ୟ ଏବଂ ବିକାଶ ସହଭାଗୀ ଅଟେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି ।