ଦାଦନ ଶ୍ରମିକ ହାତ ହରାଇବା ମାମଲା: ମୁଖ୍ୟ ସଚିବ, ଡିଜିଙ୍କୁ ଏନ୍‌ସିଏସ୍‌ଟିଙ୍କ ‌ନୋଟିସ

ନୂଆଦିଲ୍ଲୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା‌ ଏନ୍‌ଏସିର ଦୁଇ ନମ୍ବର ୱାର୍ଡ ଡହଲପଡ଼ି ସାହିର ୨୨ ବର୍ଷୀୟ ଅଙ୍ଗଦ ମଲ୍ଲିକଙ୍କ ଦୁଇ ହାତ ହରାଇବା ମାମଲାରେ ଜାତୀୟ ଜନଜାତି ଆୟୋଗ(ଏନ୍‌ସିଏସ୍‌ଟି) ମୁଖ୍ୟ ସଚିବ, ପୁଲିସ ଡିଜି ଓ ଆର୍‌ପିଏଫ୍‌ ଡିଜିଙ୍କୁ ନୋଟିସ ଜାରି କରିଛନ୍ତି। ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାନବ ଅଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନକୁ ବିଚାର କରି ଏନ୍‌ସିଏସ୍‌ଟି ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଆବେଦନକାରୀ ଗରିବ ଆଦିବାସୀ ପ୍ରବାସୀ ଶ୍ରମିକ ଅଙ୍ଗଦ ମଲ୍ଲିକ ଶ୍ରମ ଅନ୍ବେଷଣରେ ଗୁଜରାଟ ଯିବା ସମୟରେ ମୁମ୍ବାଇରେ କିଛି ଅସାମାଜି ବ୍ୟକ୍ତି ତାଙ୍କର ଦୁଇ ହାତ କାଟି ଦେଇଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ରିପୋର୍ଟକୁ ଆଧାର କରି ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି ବାଗମୁଣ୍ଡା ଗ୍ରାମର ରବି ସାହାଣୀ ଅଙ୍ଗଦକୁ ଗୁଜରାଟରେ ଚାକିରିର ପ୍ରଲୋଭନ ଦେଖାଇଥିଲା। ଏଥିପାଇଁ ଅଗ୍ରିମ ୮ ହଜାର ଟଙ୍କା ଦେଇଥିଲା। ଅଙ୍ଗଦ ବିବାହିତ ତଥା ବେରୋଜଗାର ଥିବାରୁ ଚାକିରି ପ୍ରତିଶ୍ରୁତିକୁ ଗ୍ରହଣ କରିନେଇଥିଲା। ସେ ରବି ସହିତ ଏପ୍ରିଲ ୨୭ରେ ମୁମ୍ବାଇ ଯାତ୍ରା କରିଥିଲା। ମୁମ୍ବାଇର ‌ଗୋଟିଏ ଷ୍ଟେସନରେ ସେମାନେ ଓହ୍ଲାଇ ଯାଇଥିଲେ। ରବି ଫୋନରେ ବ୍ୟସ୍ତ ରହିଥିବାବେଳେ ଅଙ୍ଗଦକୁ ସେହି ସ୍ଥାନରେ କିଛି ଅସାମାଜିକ ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିଥି‌ଲେ। ଏହା ପରେ ଅଙ୍ଗଦ ଅଚେତ ହୋଇଯାଇଥିଲେ। ମୁମ୍ବାଇ ‌ରେଲୱେ ପୁଲିସ ଅଙ୍ଗଦକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଇଥିଲା। ଚେତା ଆସିବା ପରେ ଅଙ୍ଗଦ ଜାଣିପାରିଥିଲା ତା’ର ଦୁଇ ହାତ କଟିଯାଇଛି। ଅଙ୍ଗଦକୁ ଗୁଜରାଟର ଭୁଜସ୍ଥିତ ପାଲାରା-କନ୍ଥରର ରାମଦେବ ସେବାଶ୍ରମକୁ ପଠାଇ ଦିଆଯାଇଥିଲା ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆବେଦନକାରୀ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହ ପୀଡ଼ିତଙ୍କ ପାଇଁ କୃତ୍ରିମ ଅଙ୍ଗର ବ୍ୟବସ୍ଥା କରିବା ସହିତ ଆର୍ଥିକ ସହାୟତା ଯୋଗାଇଦେବା ଓ ଥଇଥାନ ପାଇଁ ଆବେଦନକାରୀ ଏନ୍‌ସିଏସ୍‌ଟିଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର