ଦିଲ୍ଲୀ, ନଏଡ଼ାରେ ଜଳ ପ୍ରହାର

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଭାରତରେ ଅଧିକାଂଶ ଅଞ୍ଚଳରେ ବର୍ଷା ବିତ୍ପାତ ଜାରି ରହିଛି। ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ଲୋକେ ନାନା ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଆସନ୍ତାକାଲି (ସୋମବାର) ସ୍କୁଲ୍‌ ବନ୍ଦ ରଖିବା ପାଇଁ ଦିଲ୍ଲୀ ସରକାର ଓ ନଏଡ଼ା କର୍ତ୍ତୃପକ୍ଷ ନୋଟିସ୍‌ ଜାରି କରିଛନ୍ତି। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଦୁର୍ଦ୍ଦଶା ବଢ଼ିଚାଲିଛି। ସରକାର ବର୍ଷା ବିତ୍ପାତଜନିତ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳଙ୍କ ସହିତ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବର୍ଷାଜନିତ ସଙ୍କଟର ମୁକାବିଲା ନେଇ ଆଲୋଚନା କରିଛନ୍ତି। ବର୍ଷା ଓ ଅଚାନକ ବନ୍ୟା ସ୍ଥିତି ନେଇ ଶାହ କାଶ୍ମୀର ଏଲ୍‌ଜି ଓ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଦିଲ୍ଲୀ ଏନ୍‌ସିଆର୍‌ ଏବଂ ହରିୟାଣାର ଗୁରୁଗ୍ରାମରେ ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁଗ୍ରାମରେ ପ୍ରଶାସନ ପକ୍ଷରୁ ଘରୋଇ ଏବଂ କର୍ପୋରେଟ୍‌ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି।

ସବୁ ଅଧିକାରୀଙ୍କ ଛୁଟି ବାତିଲ କଲେ କେଜ୍ରିୱାଲ
ଦିନକ ପାଇଁ ସ୍କୁଲ ବନ୍ଦ
ଏଲ୍‌ଜିଙ୍କ ସହ ଆଲୋଚନା କଲେ ଶାହ
ଗୁରୁଗ୍ରାମରେ ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ପ୍ରଶାସନର ପରାମର୍ଶ

ଦିଲ୍ଲୀରେ ବର୍ଷାଜନିତ ସଙ୍କଟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ସବୁ ସରକାରୀ ଅଧିକାରୀଙ୍କର ଛୁଟି ବାତିଲ କରିଦେଇଛନ୍ତି। ଏଥିସହ ଦିଲ୍ଲୀରେ ପାଣି ଜମିଥିବା ଅଞ୍ଚଳଗୁଡ଼ିକର ଅବସ୍ଥା ଦେଖିବା ଓ ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେ ସେମାନଙ୍କୁ ଆଦେଶ ଦେଇଛନ୍ତି। ୪୧ ବର୍ଷର ରେକର୍ଡଭଙ୍ଗା ବୃଷ୍ଟିପାତ ପରେ ଟ୍ବିଟ୍ କରି କେଜ୍ରିୱାଲ ଏହି ଆଦେଶ ଦେଇଛନ୍ତି। ଦିଲ୍ଲୀରେ ଗତକାଲି ୧୨୬ ମିମି ବର୍ଷା ହୋଇଥିବା ବେଳେ ରବିବାର ସକାଳ ସାଢ଼େ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୧୫୩ ମିମି ବର୍ଷା ରେକର୍ଡ କରାଯାଇଛି। ରାସ୍ତାଘାଟ, ବଜାର, ପାର୍କ, ହସ୍ପିଟାଲ ପରିସର ଆଦି ଜଳାର୍ଣ୍ଣବ ହୋଇଯାଇଛି।

ସମ୍ବନ୍ଧିତ ଖବର