ମୋଦୀଙ୍କ ବିରୋଧରେ ‘ମଣ୍ଡଳ କାର୍ଡ’ ଖେଳିବେ ନୀତୀଶ!

ଆରଜେଡି-ଜେଡିୟୁ-ସପା ମେଣ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଦେଶରେ ପୁଣି ମଣ୍ଡଳ ରାଜନୀତି ଫେରିବାକୁ ଯାଉଛି । କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଏବେ ଆରଜେଡି ଏବଂ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ମଣ୍ଡଳ କାର୍ଡ ଖେଳିବାକୁ ଯୋଜନା କରିଛି। ଗତ ମାସରେ ଜେଡିୟୁ ସୁପ୍ରିମୋ ନୀତୀଶ ବିଜେପି ସହ ସମ୍ପର୍କ ଭାଙ୍ଗି ଆର୍‌ଜେଡି ସହ ମିଶି ସରକାର ଗଠନ କରିବା ପରଠାରୁ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଲକ୍ଷ୍ୟରେ ଜୋରଦାର ପ୍ରୟାସ ଆରମ୍ଭ ଜାରି ରଖିଛନ୍ତି। ନୀତୀଶ ନିକଟରେ ଶରଦ ପାୱାର, ରାହୁଲ ଗାନ୍ଧି, ସୀତାରାମ ୟେଚୁରୀ, ଡି ରାଜା, ଅରବିନ୍ଦ କେଜ୍ରିୱାଲ, ଅଖିଳେଶ ଯାଦବ ଏବଂ କେ ଚନ୍ଦ୍ରଶେଖର ରାଓଙ୍କ ସମେତ ଅନେକ ନେତାଙ୍କୁ ଭେଟିଛନ୍ତି। ବିରୋଧୀ ଏକତା ଗଠନ ପାଇଁ ଏହା ଏକ ପ୍ରୟାସ ଭାବରେ ଦେଖାଯାଉଥିବା ବେଳେ ଉତ୍ତରପ୍ରଦେଶର ଫୁଲପୁର ଆସନରୁ ନୀତୀଶ ନିର୍ବାଚନ ଲଢ଼ିପାରନ୍ତି ବୋଲି ଜେଡିୟୁ ସଭାପତି ଲଲନ ସିଂହଙ୍କ ଘୋଷଣା ରାଜନୈତିକ ଉଷ୍ମତା ବଢ଼ାଇ ଦେଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେବାକୁ ହେଲେ ଉତ୍ତରପ୍ରଦେଶରୁ ଲଢ଼ିବା ଜରୁରୀ ବୋଲି ନୀତୀଶ ଅନୁଭବ କରୁଛନ୍ତି। ବିଜେପି ବିରୋଧରେ ଜେଡିୟୁ-ଆରଜେଡି-ସମାଜବାଦୀ ପାର୍ଟି ଏକାଠି ହେବା ଦ୍ୱାରା ମଣ୍ଡଳ ରାଜନୀତି ପୁନର୍ଜୀବନ ପାଇବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ଚାଲିଛି । ଏଥି ସହିତ ନୀତୀଶ କୁମାରଙ୍କୁ ବିରୋଧୀ ରାଜନୀତିକୁ ଏକଜୁଟ କରିବାର ଶକ୍ତି ଭାବରେ ମଧ୍ୟ କେହି କେହି ଦେଖୁଛନ୍ତି। ମଣ୍ଡଳ ରାଜନୀତିକୁ ପୁନର୍ଜୀବିତ ନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୟୁପିରେ ଟକ୍କର ଦେବା ଅସମ୍ଭବ ବ୍ୟାପାର ବୋଲି ମଧ୍ୟ ଅନେକ ମତ ଦେଉଛନ୍ତି। ତେବେ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ଅନେକ ପରିବର୍ତ୍ତନ ହୋଇଛି। ଜାତି, ଧର୍ମ ଏବଂ ଆଞ୍ଚଳିକ ପରିଚୟ ସହିତ ବିକାଶ ସମସ୍ୟା ଏବେ ଜନସାଧାରଣଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ । କେବଳ ଜାତିଭିତ୍ତିକ ରାଜନୀତି ଦ୍ବାରା ଧ୍ରୁବୀକରଣ କରି ନିର୍ବାଚନ ଜିତିବା ଏବେ ଏତେ ସହଜ ନୁହେଁ ଏବଂ ୨୦୧୯ ନିର୍ବାଚନରେ ୟୁପିରେ ଏହା ପ୍ରମାଣିତ ହୋଇସାରିଛି। ଏବେ କୁହାଯାଉଛି ଯେ ମଣ୍ଡଳ ଅନୁପ୍ରାଣିତ ରାଜନୈତିକ ଦୃଷ୍ଟିକୋଣର ପୁନର୍ଜୀବନ କେବଳ ଜାତି ଗଣନା ଉପରେ ଆଧାରିତ ହୋଇପାରିବ ନାହିଁ। ସାଂପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟରେ ଜାତିଆଣ ସ୍ଲୋଗାନ ଦ୍ବାରା ଭୋଟ୍‌ ବ୍ୟାଙ୍କ ସୃଷ୍ଟି ସହଜ ହେବନାହିଁ।

ତେବେ ଓବିସି କାର୍ଡ ଖେଳିବା ପାଇଁ ନୀତୀଶ ଏବେ ଏକ ମହାମେଣ୍ଟ ପ୍ରକ୍ରିୟା ଆରମ୍ଭ କରିଦେଇଥିବାରୁ ବିଜେପି ବିରୋଧରେ ମଣ୍ଡଳ ରାଜନୀତିର ସମ୍ଭାବନା ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି। ଗତ ନିର୍ବାଚନରେ ​​ହିନ୍ଦୁତ୍ୱ ପ୍ରସଙ୍ଗରେ ଜାତି ସମୀକରଣ ଭାଙ୍ଗିଥିବା ଦେଖାଯାଇଛି। ୯୦ ଦଶକ ପରେ ଓବିସି ସମ୍ପ୍ରଦାୟ ଏବଂ ଦେଶର ଅନ୍ୟାନ୍ୟ ସାମାଜିକ ବର୍ଗ ମଧ୍ୟରେ ଏକ ବିରାଟ ମଧ୍ୟବିତ୍ତ ବର୍ଗ ସୃଷ୍ଟି ହୋଇଛି। ଏହି ନୂତନ ମଧ୍ୟବିତ୍ତ ଶ୍ରେଣୀର ଏକ ବଡ଼ ଭାଗ ହିନ୍ଦୁତ୍ୱ ପ୍ରତି ଆକର୍ଷିତ ହୋଇଛି ଏବଂ ଏହାର ଫାଇଦା ସିଧାସଳଖ ବିଜେପିକୁ ମିଳୁଛି। ଏଭଳି ସ୍ଥିତିରେ ବିରୋଧୀଙ୍କ ମିଳିତ ମଞ୍ଚ ନୀତୀଶଙ୍କୁ କିଭଳି ଗ୍ରହଣ କରିବେ ତାହା ଉପରେ ମଧ୍ୟ ଅନେକ କିଛି ନିର୍ଭର କରୁଛି ।

ସମ୍ବନ୍ଧିତ ଖବର