ନୂଆ ଭାରତ ‘ଘର ମେଁ ଘୁସ୍‌ କେ ମାରତା ହୈ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ନିରାପତ୍ତା ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସର କାପୁରୁଷ ସରକାର ବିଶ୍ୱ ମଞ୍ଚରେ କାନ୍ଦୁଥିଲା। ଏବେ ଭାରତ ବିଶ୍ୱ ମଞ୍ଚରେ କାନ୍ଦିବା ସମୟ ଗଲାଣି। ଏବେ ପାକିସ୍ତାନ କାନ୍ଦୁଛି ଏବଂ ସାହାଯ୍ୟ ପାଇଁ ଚିତ୍କାର କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବର ଉପା ସରକାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପୂର୍ବ ସରକାରମାନେ ଶାନ୍ତି ଆଶାରେ ପାକିସ୍ତାନକୁ ପ୍ରେମପତ୍ର ପଠାଉଥିଲେ, କିନ୍ତୁ ପଡ଼ୋଶୀ ଦେଶ ଏହାର ଜବାବରେ ଅଧିକ ଆତଙ୍କବାଦୀ ପଠାଉଥିଲା। ଆଜିର ଭାରତ ଡୋଜିୟର (ଚିଠି) ଦେଉନାହିଁ। ଏହା ହେଉଛି ନୂଆ ଭାରତ, ‘ଘର ମେଁ ଘୁସ୍ କେ ମାରତା ହୈ’ (ଘରେ ପଶି ନିପାତ କରେ)। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ୍‌ରେ ହତାଶ ହୋଇଥିବା ପାକିସ୍ତାନୀ ନେତାମାନେ ‘ଶେହଜାଦା’ (ରାହୁଲ ଗାନ୍ଧୀ)ଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରାର୍ଥନା କରୁଛନ୍ତି।

ତେବେ ଶକ୍ତିଶାଳୀ ଭାରତ ଏକ ଶକ୍ତିଶାଳୀ ସରକାର ଚାହୁଛି। ପାକିସ୍ତାନରେ ଇମ୍ରାନ ଖାନଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କଂଗ୍ରେସ ନେତାଙ୍କ ଏକ ଭିଡିଓ ସେୟାର କରି ତାଙ୍କୁ ପ୍ରଶଂସା କରିବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ଉପରେ ଏହି ଆକ୍ରମଣ କରିଛନ୍ତି। ଝାଡ଼ଖଣ୍ଡରେ ଶାସକ ମେଣ୍ଟକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ଜେଏମ୍‌ଏମ୍‌ ଓ କଂଗ୍ରେସ ନେତାମାନେ ସେମାନଙ୍କ ପିଲାମାନଙ୍କ ପାଇଁ ବିପୁଳ ସମ୍ପତ୍ତି ସଂଗ୍ରହ କରିଛନ୍ତି। ମୋର ଘର ନାହିଁ କି ସାଇକେଲ ମଧ୍ୟ ନାହିଁ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଗତ ୨୫ ବର୍ଷ ମଧ୍ୟରେ ମୋ ଉପରେ ଦୁର୍ନୀତିର ଦାଗ ନାହିଁ। ଅତୀତରେ ଦୁର୍ବଳ ସରକାର ତୁଳନାରେ ବିଜେପି ସରକାର ପାକିସ୍ତାନ ସୀମାରେ ଆତଙ୍କବାଦ ବିରୋଧରେ କ୍ରମାଗତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି। ଆତଙ୍କବାଦୀମାନେ ଭାରତ ଆସି ଆକ୍ରମଣ କରୁଥିଲେ। ସେତେବେଳେ ଦୁର୍ବଳ ସରକାର ଡୋଜିୟର ପଠାଉଥିଲେ। ଆଜିର ନୂଆ ଭାରତ ଆତଙ୍କବାଦୀଙ୍କୁ ଡୋଜ୍ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର