ଗୋଆ ବିଧାନସଭା ନିର୍ବାଚନ: ତୃଣମୂଳ କଂଗ୍ରେସ ସହିତ କୌଣସି ମେଣ୍ଟ କରିବ ନାହିଁ ଆମ୍‌ ଆଦମୀ ପାର୍ଟି

ପାନାଜୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ରବିବାର ଦିନ କହିଛି ଯେ ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ସହିତ ଏହାର ମେଣ୍ଟ ହେବ ନାହିଁ। ଆପ୍‌ର ଗୋଆ ପାଇଁ ପ୍ରଭାରୀ ଥିବା ଆତିଶି କହିଛନ୍ତି ଯେ ଆପ୍‌ ଭଲ ପ୍ରାର୍ଥୀଙ୍କ ସହ ଗୋଆକୁ ଏକ ନୂତନ ବିକଳ୍ପ ପ୍ରଦାନ କରିବାକୁ ଏବଂ ଏକ ସଚ୍ଚୋଟ ଏବଂ ଦୁର୍ନୀତିମୁକ୍ତ ସରକାର ଗଠନ କରିବାକୁ ସ୍ଥିର କରିଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ଗୋଆ ବିଧାନସଭା ନିର୍ବାଚନ ହେବାର ଅଛି।

ଆପ୍‌ର ଗୋଆ ପ୍ରଭାରୀ ଥିବା ଆତିଶି କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱ ସହିତ କହୁଛି ଯେ ଟିଏମସି ସହିତ ଆମ ଦଳର କୌଣସି ମେଣ୍ଟ ହେବ ନାହିଁ। ତେଣୁ, ସେମାନଙ୍କ ସହିତ କୌଣସି କଥାବାର୍ତ୍ତା ହେବାର ପ୍ରଶ୍ନ ଉଠୁ ନାହିଁ। ଆମେ ଗୋଆକୁ ଭଲ ପ୍ରାର୍ଥୀଙ୍କ ସହ ଏକ ନୂତନ ବିକଳ୍ପ ଦେବାକୁ ଏବଂ ଏକ ସଚ୍ଚୋଟ ଦୁର୍ନୀତି ମୁକ୍ତ ସରକାର ଗଠନ କରିବାକୁ ସ୍ଥିର କରିଛୁ ବୋଲି ଆତିଶି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଆପ୍‌ ଗୋଆରେ ଟିଏମସି ସହିତ ମେଣ୍ଟ କରିବାକୁ ଚାହୁଁଛି ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ଏପର୍ଯ୍ୟନ୍ତ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଇନାହିଁ। କିନ୍ତୁ ଏହି ପ୍ରସ୍ତାବ ପ୍ରସଙ୍ଗରେ ଦୁଇ ପକ୍ଷ ଏକ ପର୍ଯ୍ୟାୟ ଆଲୋଚନା କରିଛନ୍ତି।
ତେବେ ଏହାକୁ ଖଣ୍ଡନ କରି ଆତିଶି କହିଛନ୍ତି ଆପ୍‌ ନିଜେ ବିନା କୌଣସି ମେଣ୍ଟରେ ଗୋଆ ବିଧାନସଭା ର୍ନିବାଚନ ଲଢିବାକୁ ନିଷ୍ପତ୍ତି ନେଇଛି।

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ୍‌ ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ଗୋଟିଏ ବି ଆସନ ଜିତି ପାରି ନଥିଲା। କିନ୍ତୁ, ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ସମସ୍ତ ୪୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଥିବା ଟିଏମସି ରାଜ୍ୟର ସର୍ବପୁରାତନ ଆଞ୍ଚଳିକ ସଂଗଠନ ମହାରାଷ୍ଟ୍ରୱାଡି ଗୋମନ୍ତକ ପାର୍ଟି ସହ ମେଣ୍ଟ କରିଛି।

୨୦୧୭ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୧୭ଟି ଆସନ ଜିତି ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଥିଲା, କିନ୍ତୁ ସରକାର ଗଠନକରିବାରେ ବିଫଳ ହୋଇଥିଲା। ପରେ, ବିଜେପି ରାଜ୍ୟରେ ସରକାର ଗଠନ ପାଇଁ କିଛି ଆଞ୍ଚଳିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମେଣ୍ଟ କରିଥିଲା।

ସମ୍ବନ୍ଧିତ ଖବର