କୁଷ୍ଠରୋଗୀ କଲୋନିକୁ ପୋଷ୍ୟ ଭାବେ ଗ୍ରହଣ କଲେ ଏହି ଡାକ୍ତର, ଗତ ଜୁନ୍‌ରେ ଜଣେ କୁଷ୍ଠ ରୋଗୀଙ୍କୁ କାନ୍ଧରେ ବୋହି ହୋଇଥିଲେ ଚର୍ଚ୍ଚିତ

ସମ୍ବଲପୁର: ଦୀର୍ଘ ବର୍ଷ ଧରି କୁଷ୍ଠ ରୋଗକୁ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଥିଲେ ବି ଏବେ ମଧ୍ୟ କୁଷ୍ଠ ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କୁ ସମାଜ ଅଛୁଆଁ ଭାବେ ବ୍ୟବହାର କରେ। ମାତ୍ର ବୁର୍ଲାର ବୀର ସୁରେନ୍ଦ୍ର ସାଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍‌ ସାଇନ୍ସ (ଭିମ୍‌ସାର୍‌)ର ଜଣେ ଡାକ୍ତର ଏହି ଭଳି କିଛି ଲୋକଙ୍କ ଦାୟିତ୍ବ ନିଜ ମୁଣ୍ଡକୁ ନେଇ ଚର୍ଚ୍ଚା ପାଲଟିଛନ୍ତି।

ଡାକ୍ତର ଜଣକ ହେଉଛନ୍ତି ଶଙ୍କର ରାମଚନ୍ଦନୀ। ବୁର୍ଲା ସହରର ଜୁନାପାଣି ଅଞ୍ଚଳରେ ଥିବା ଏକ କୁଷ୍ଠ କଲୋନିକୁ ପାଳିତ ଭାବେ ଗ୍ରହଣ କରିଛନ୍ତି ଡକ୍ଟର ଶଙ୍କର। ଏହି କଲୋନିରେ ରହୁଥିବା ପିଲାଙ୍କୁ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ସହ କୁଷ୍ଠର ଭୟାବହତାକୁ ଜଣାଉଛନ୍ତି।

ବୁଧବାର ଡକ୍ଟର ଶଙ୍କର ଜୁନାପାଣି କୁ‌ଷ୍ଠ କଲୋନିର ସଂପାଦକ ତ୍ରାହିକରା ରାଜହଂସଙ୍କୁ ଭେଟି ସଂପୃକ୍ତ ଅଞ୍ଚଳକୁ ପୋଷ୍ୟ ଭାବେ ଗ୍ରହଣ କରିବାର ନିଜର ଆଗ୍ରହ ପ୍ରକାଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେହି କଲୋନିରେ ୫୪ ପରିବାର ବସବାସ କରୁଛନ୍ତି।

OP

ଡକ୍ଟର ରାମଚନ୍ଦନୀଙ୍କୁ ସେଠାକାର ଲୋକ ଜଣେ ସମାଜସେବୀ ଭାବେ ଜାଣନ୍ତି। ସେ ସେଠାକାର ଲୋକଙ୍କୁ କୁଷ୍ଠ ରୋଗ ସଂପର୍କରେ ସଚେତନ କରାଇବା ସହ ସେହି ରୋଗକୁ ଅଣଦେଖା କରିବାର ଭୟାବହତାକୁ ବି ବୁଝାଇ କହୁଛନ୍ତି।

ଗତ ଜୁନ୍‌ରେ ଜଣେ କୁଷ୍ଠ ରୋଗୀଙ୍କୁ ସେ ନିଜ କାନ୍ଧରେ ବୋହି ନେଉଥିବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ତାଙ୍କୁ ତାଙ୍କର ଉଦାରତା ପାଇଁ ବିଭିନ୍ନ ଆଡୁ ପ୍ରଶଂସା ମିଳିବା ସହ ସରକାରୀ ସ୍ତରରେ ବି ତାଙ୍କ ଯୋଗ୍ୟତା ଅନୁସାରେ ଉପଯୁକ୍ତ ବିଭାଗର ଦାୟିତ୍ବ ଦିଆଯାଇଥିଲା।

ଦୀର୍ଘ ବର୍ଷ ଧରି କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଲୋକଙ୍କଠାରୁ ଦୂରେଇ ରହୁଥିବା ଏହି ରୋଗୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ କରାଇବା ହେଉଛି ଏହି  ଡାକ୍ତରଙ୍କ ଲକ୍ଷ୍ୟ। ତାଙ୍କୁ ତାଙ୍କର ଏପରି ମହତ କାର୍ଯ୍ୟରେ କିଛି ବନ୍ଧୁ ଓ ସହଯୋଗୀ ମଧ୍ୟ ସମର୍ଥନ ଦେଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର