ଆଫଗାନିସ୍ତାନ ମାଟିରୁ ପାକିସ୍ତାନ ଉପରେ ଚାଲିଛି ଆକ୍ରମଣ ! ଏକଥା କହିଲେ ପାକ୍ ଜାତୀୟ ସୁରକ୍ଷା ପରାମର୍ଶଦାତା

ଇସଲାମାବାଦ: ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ମୋଇଦ୍ ୟୁସୁଫ୍ ଗୁରୁବାର ଦିନ ଆଫଗାନିସ୍ତାନ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ପାକିସ୍ତାନ ସଂସଦର ଷ୍ଟାଣ୍ଡିଂ କମିଟି ନିକଟରେ ମୋଇଦ୍ ୟୁସୁଫ୍ କହିଛନ୍ତି, ଆଫଗାନିସ୍ତାନ ମାଟିରୁ ପାକିସ୍ତାନ ଉପରେ କ୍ରମାଗତ ଆକ୍ରମଣ କରାଯାଉଛି। ସେଠାରେ ଆମର ଶତ୍ରୁ ତେହରିକ୍-ଏ-ତାଲିବାନ ପାକିସ୍ତାନ(ଟିଟିପି)ର ଆତଙ୍କବାଦୀମାନେ ଏପରି କାଣ୍ଡ ଭିଆଉଛନ୍ତି। ସେମାନଙ୍କର ଚେର ଦୃଢ ଭାବେ ପାକିସ୍ତାନ ଯାଏ ଲମ୍ବିଛି ଓ ପାକିସ୍ତାନରେ ସେମାନଙ୍କ ଅନେକ ସମର୍ଥକ ବି ଅଛନ୍ତି।

ପାଖାପାଖି ୨ ମାସ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି। ପାକିସ୍ତାନ ଅନୁସାରେ ତାଲିବାନ ତାର ସୈନିକମାନଙ୍କୁ ସୀମାରେ  ତାରଜାଲି ଲଗାଇବାକୁ ଦେଉ ନାହିଁ। ତାଲିବାନ ବୁଲ୍-ଡଜର୍ ଲଗାଇ କେତେକ ତାରଜାଲିକୁ ଉଠାଇ ଫିଙ୍ଗି ମଧ୍ୟ ଦେଇଛି। ଏହାକୁ ନେଇ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ଓ ପାକିସ୍ତାନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିବାର ସୂଚନା ମଧ୍ୟ ମିଳିଛି। ମୋଇଦ୍ ୟୁସୁଫ୍ ଏ ବିଷୟରେ ଆଲୋଚନା କରିବା ପାଇଁ କାବୁଲ ଯିବା ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ଏହି ସମୟରେ ଖବର ମିଳିଥିଲା ଯେ କାବୁଲ ଏଆରପୋର୍ଟରେ ତାଙ୍କୁ ବିରୋଧ କରିବା ପାଇଁ ହଜାର ହଜାର ଆଫଗାନ ନାଗରିକ ପହଞ୍ଚିଯାଇଛନ୍ତି । ତେଣୁ ତାଙ୍କୁ ଆଫଗାନିସ୍ତାନ ଗସ୍ତ ବାତିଲ କରିବାକୁ ପଡିଥିଲା।

ଏହାପରେ ଟିଟିପି ଇସଲାମାବାଦ ଓ ଲାହୋରରେ ବିସ୍ଫୋରଣ ଘଟାଇଥିଲା । ତାଲିବାନ ଟିଟିପିକୁ ସମର୍ଥନ ଯୋଗାଉଥିବାରୁ ଏହି ବିସ୍ଫୋରଣ ହେଲା ବୋଲି ପାକିସ୍ତାନର ସୁରକ୍ଷା ସଂସ୍ଥା ତାଲିବାନରୁ ଦାୟୀ କରିଥିଲା।

ପାକିସ୍ତାନୀ ସଂସଦର ଷ୍ଟାଣ୍ଡିଂ କମିଟି ମୋଇଦ୍ ୟୁସୁଫଙ୍କଠାରୁ ଜାତୀୟ ସୁରକ୍ଷାର ବର୍ତ୍ତମାନ ସ୍ଥିତି ବିଷୟରେ ଜବାବ ମାଗିଥିଲେ। ୟୁସୁଫ୍ କମିଟିକୁ କହିଛନ୍ତି, ଆଫଗାନିସ୍ତାନର ତାଲିବାନ ସରକାରଙ୍କ କାର୍ଯ୍ୟକଳାପ ଉପରେ ଅଧିକ ବିଶ୍ଵାସ କରାଯିବା ଉଚିତ ନୁହେଁ। କାରଣ ତାଲିବାନ ପୂର୍ବରୁ କହିଥିଲା ତାଙ୍କ ମାଟିକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର କରିବାକୁ ଦେବ ନାହିଁ । କିନ୍ତୁ ସେମାନେ ଏପରି କରି ନାହାନ୍ତି । ସେଠାରୁ ପାକିସ୍ତାନ ଉପରେ ଆକ୍ରମଣ କରାଯାଉଛି। ସେଠାରେ ତେହରିକ୍-ଏ-ତାଲିବାନ ପାକିସ୍ତାନ ଅର୍ଥାତ୍ ଟିଟିପିର ସମର୍ଥନକାରୀ ଅଛନ୍ତି। ଅନ୍ୟ ଆତଙ୍କବାଦୀ ସଙ୍ଗଠନ ମଧ୍ୟ ସକ୍ରିୟ ଅଛନ୍ତି।

ୟୁସୁଫ୍ ନିକଟରେ ଜାରି କରାଯାଇଥିବା ଜାତୀୟ ସୁରକ୍ଷା ନୀତି ଉପରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୧୪ରେ ଏହା ଉପରେ କାମ ଆରମ୍ଭ କରାଯାଇଥିଲା। ସେତେବେଳେ ସର୍ତାଜ୍ ଅଜିଜ୍ ଏହି ମାମଲାକୁ ଦେଖୁଥିଲେ। ସାତବର୍ଷର ପରିଶ୍ରମ ପରେ ଏହି ନୀତିକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଆର୍ଥିକ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏହା ବିନା ଦେଶକୁ ସୁରକ୍ଷିତ ରଖିବା କଷ୍ଟସାଧ୍ୟ। ଏହି ଦଲିଲର ଏକ ବୃହତ ଭାଗ ସଂପୂର୍ଣ୍ଣ ଗୋପନ ରଖାଯାଇଛି।

ସମ୍ବନ୍ଧିତ ଖବର