ପାଇଲଟଙ୍କ କରୋନା ଭୟ ଯୋଗୁଁ ପାକିସ୍ତାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ହୋଇଥିଲା : ତଦନ୍ତ ରିପୋର୍ଟ

କରାଚୀ : ଗତ ମାସରେ ହୋଇଥିବା ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା । କେବଳ ପାଇଲଟ ଙ୍କ ତ୍ରୁଟି ଓ କରୋନାକୁ ନେଇ ଆତଙ୍କ ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିଲା ।
ଏହି ତଦନ୍ତ ରିପୋର୍ଟକୁ ଆଜି ପାକିସ୍ତାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ଵାର ଖାଁ ଆଜି ନ୍ୟାସନାଲ ଆସେମ୍ଲିରେ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଦୁର୍ଘଟଣା ପଛରେ ପାଇଲଟ ଓ ଏୟାର ଟ୍ରାଫିକ କଣ୍ଟ୍ରୋଲ କର୍ମଚାରୀଙ୍କ ତ୍ରୁଟି ଥିଲା । ସେମାନେ ମୁଖ୍ୟତଃ କରୋନା ସଂକ୍ରମଣକୁ ନେଇ ଚିନ୍ତିତ ଥିଲେ । ସେଥିପାଇଁ ସେମାନେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ବା ମାନକ କାର୍ଯ୍ୟବିଧି ପାଳନ କରିନଥିଲେ । ଏହି କାରଣରୁ ବିମାନଟି ଲାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ପାଇଲଟ ଦୁଇଜଣଙ୍କ ଅତ୍ୟଧିକ ଆତ୍ମବିଶ୍ୱାସ ଓ ଫଳରେ ଦୁର୍ଘଟଣା ହୋଇଥିଲା । ଜଣେ ପାଇଲଟଙ୍କ ପରିବାର ଲୋକ କରୋନା ସଂକ୍ରମିତ ହୋଇଥିବା ଯୋଗୁଁ ସେ ସଂପୂର୍ଣ୍ଣ ଭାବେ ଅନ୍ୟମନସ୍କ ଥିଲେ । ଏଟିଏସ କର୍ମଚାରୀଙ୍କ ପରାମର୍ଶକୁ ମଧ୍ୟ ସେ ମାନିନଥିଲେ । ଏହା ଦୁର୍ଘଟଣାର କାରଣ ଥିଲା ।
ଗତ ମେ ୨୨ରେ ପାକିସ୍ତାନର କରାଚୀଠାରେ ପିଆଇଏର ଏକ ବିମାନ ଆବାସିକ ଅଞ୍ଚଳ ଉପରେ ଖସିପଡ଼ିଥିଲା । ଏହି ବିମାନରେ ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୧୦୭ ଜଣ ଥିଲେ । ଏହି ଦୁର୍ଘଟଣାରେ ମୋଟ ୯୭ ଜଣ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର