ନୌସେନାକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ବିଶାଖାପାଟଣା : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର କହିଛନ୍ତି ଯେ, ଭାରତୀୟ ନୌସେନାର ନିରନ୍ତର ସଜାଗତା, ତ୍ୱରିତ ପ୍ରତିକ୍ରିୟା ଏବଂ ନିରନ୍ତର ଉଦ୍ୟମ ସମୁଦ୍ରର ନିରାପତ୍ତାକୁ ବଜାୟ ରଖିବାରେ ସଫଳ ହୋଇଛି।

ବଙ୍ଗୋପସାଗରର ବିଶାଖାପାଟଣା ଉପକୂଳରେ ‘ରାଷ୍ଟ୍ରପତିଙ୍କ ଫ୍ଲିଟ୍ ରିଭ୍ୟୁ-୨୦୨୨’ ଅବସରରେ ଭାରତୀୟ ସଶସ୍ତ୍ର ସେନାର ସର୍ବୋଚ୍ଚ କମାଣ୍ଡର କହିଲେ ଯେ, ଆମ ଉଡ଼ାଜାହାଜ ଓ ବୁଡ଼ାଜାହାଜଗୁଡ଼ିକର ସର୍ବୋତ୍ତମ ପରେଡ୍ ଦେଖି ମନେହୁଏ ଆମ ନୌସେନା ‌ଯେକୌଣସି ଶତ୍ରୁପକ୍ଷକୁ ଟକ୍କର ଦେଇପାରିବ। ଯେକୌଣସି ପ୍ରକାର ଘଟଣା ବା ପରିସ୍ଥିତି ପାଇଁ ଆମ ନୌସେନା କେତେ ସଜାଗ ଓ ପ୍ରସ୍ତୁତ ତାହା ମଧ୍ୟ ଏହି ପରେଡ୍‌ରୁ ଜଣାପଡ଼ିଲା। ଭାରତ ମହାସାଗର ଦେଇ ବିଶ୍ବ ବାଣିଜ୍ୟ ଚାଲେ। ଆମ ବାଣିଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ମଧ୍ୟ ସମୁଦ୍ର ଉପରେ ନିର୍ଭର କରେ। ତେଣୁ ସାମୁଦ୍ରିକ ନିରାପତ୍ତା ଏତେ ଗୁରୁତ୍ବପୂର୍ଣ୍ଣ। ଆମ ସାହସୀ ନୌ-ଯୋଦ୍ଧାମାନଙ୍କ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି କହିଥିଲେ। ଫେବ୍ରୁଆରି ୨୬ରେ ବିଶାଖାପାଟଣାଠାରେ ଆରମ୍ଭ ହେବାକୁ ଥିବା ବହୁରାଷ୍ଟ୍ରୀୟ ନାଭାଲ ଏକ୍ସରସାଇଜ୍ ‘ମିଲନ ୨୦୨୨’ ପାଇଁ ରାଷ୍ଟ୍ରପତି ଭାରତୀୟ ନେଭିକୁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର