ପୁଅ ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼: ନିଜ ରକ୍ତର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ବାପାକୁ ବୁଧବାର ସୁନ୍ଦରଗଡ଼ ଅତିରିକ୍ତ ଦୌରାଜଜ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ କାରାଦଣ୍ଡ ୬ ମାସ ବୃଦ୍ଧି ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ଜଜ୍। ହତ୍ୟାକାରୀ ବାପା ହେଲେ ବଡ଼ଗାଁ ଥାନା ରୁନଗାଁ ବଡ଼ପଡ଼ାର କର୍ମୁ ମିରି(୬୦)।

ଘଟଣାଟି ଘଟିଥିଲା ୨୦୨୧ ଜାନୁଆରି ୧ରେ। ସେଦିନ ସମୟ ଅପରାହ୍ନ ସାଢ଼େ ୧୨ଟାରେ କର୍ମୁଙ୍କ ପତ୍ନୀ ଲୀଳାବତୀ ମିରି ଘର ପିଣ୍ଡାରେ ବସିଥିଲେ। ପୁଅ ଶ୍ୟାମସୁନ୍ଦର ମିରି (୧୮) ଘର ଭିତରେ ଶୋଇଥିଲେ। ଏହି ସମୟରେ କର୍ମୁ ଟାଙ୍ଗିଆ ଧରି ଘର ଭିତରକୁ ପଶି ଶୋଇଥିବା ପୁଅର ମୁଣ୍ଡ ଓ ଦେହରେ ଚୋଟ ପରେ ଚୋଟ ପକାଇ ଲହୁଲୁହାଣ କରି ଦେଇଥିଲା। ଲୀଲାବତୀ ଦୌଡ଼ି ଯାଇ ଅଟକାଇବାକୁ ଚେଷ୍ଟା କରିଥିଲେ ବି ରକ୍ତମୁଖା କର୍ମୁକୁ ଅଟକାଇ ପାରି ନଥିଲେ। ପରେ ଗୁରୁତର ଶ୍ୟାମସୁନ୍ଦରକୁ ଆମ୍ବୁଲାନ୍ସ ଯୋଗେ ବଡ଼ଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ଲୀଳାବତୀ ସ୍ବାମୀ କର୍ମୁଙ୍କ ନାମରେ ବଡ଼ଗାଁ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କର୍ମୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପୁଲିସ ମାମଲାର ସବିଶେଷ ତଦନ୍ତ କରି ୨୦୨୧ ମେ ୧ ତାରିଖରେ ଚାର୍ଜସିଟ ଦାଖଲ କରିଥିଲେ। ୨୦୨୧ ସେପ୍ଟେମ୍ବର ୩୦ରେ ଚାର୍ଜଫ୍ରେମ ଓ ୨୦୨୨ ନଭେମ୍ବର ୧୬ରେ ସାକ୍ଷ୍ୟ ପ୍ରମାଣ ନିଆଯାଇଥିଲା। ଏହା ପରେ ବିଚାରପତି ବୁଧବାର ଶୁଣାଣି କରି ଅଭିଯୁକ୍ତ ବାପ କର୍ମୁକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି। ଏପିପି ପ୍ରଶାନ୍ତ କୁମାର ପଟେଲ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର