ପରିସ୍ରା କରିବାକୁ ଯାଇ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଏକ ଅଜଣା ଦ୍ରୁତଗାମୀ ଗାଡ଼ି ଧକ୍କାରେ ଆନ୍ଧ୍ରପ୍ରଦେଶର ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଓମାନପଡ଼ୁ ଅଞ୍ଚଳର ଶ୍ରୀନିବାସ ରାଓଙ୍କ ପୁଅ ରାମ ବାବୁ (୩୭)।

ସୂଚନା ଅନୁଯାଇ ବୁଧବାର ଭୋରରୁ ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ୍‌ (ଏପି୨୭ଟିଏକ୍ସ-୭୬୯୫) ବାରିପଦା ଅଭିମୁଖେ ଯାଉଥିବାବେଳେ ଚାଳକଳୁ ନିଦ ଲାଗିବାରୁ ବୈଶିଙ୍ଗାସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଟ୍ରକ ଛିଡ଼ା କରି ଚାଳକ ସମେତ ଅନ୍ୟ ୨ ଜଣ ଯୁବକ ଟ୍ରକରେ ଶୋଇପଡ଼ିଥିଲେ। ହେଲେ ରାମ ବାବୁକୁ ପରିସ୍ରା ଲାଗିବାରୁ କାହାରିକୁ କିଛି ନଜଣେଇ ସେ ଟ୍ରକରୁ ଓହ୍ଲାଇ ରାଜପଥ ପାର୍ଶ୍ୱକୁ ପରିସ୍ରା କରିବାକୁ ଯାଉଥିବାବେଳେ ବାଲେଶ୍ୱର ପଟରୁ ବାରିପଦା ପଟକୁ ଯାଉଥିବା ଏକ ଦ୍ରୁତଗାମୀ ଗାଡି ଧକ୍କା ଦେଇ ଚମ୍ପଟ ମାରିଥିଲା। ଫଳରେ ରାମବାବୁଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ରାତି ପାଇଁ ଦୁର୍ଘଟଣା ସମ୍ବନ୍ଧରେ କେହି ଜାଣିପାରିନଥିଲାବେଳେ ବୈଶିଙ୍ଗା ପୁଲିସର ପାଟ୍ରୋଲିଙ୍ଗ ଭ୍ୟାନ ପ୍ରଥମେ ମୃତଦେହକୁ ରାସ୍ତା ଉପରେ ପଡ଼ିଥିବା ଦେଖି ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ଶବକୁ ରାସ୍ତା ଉପରୁ ଉଠାଇ ବୈଶିଙ୍ଗା ଡାକ୍ତରଖାନାକୁ ନେବା ସହିତ ଟ୍ରକରେ ଶୋଇଥିବା ଅନ୍ୟ ସହଯୋଗୀଙ୍କୁ ନିଦରୁ ଉଠାଇ ଥିଲେ। ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପୂର୍ବକ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର