‘ମୃତ୍ୟୁଦଣ୍ଡ’ ଭଳି ସ୍ଥିତି:ଦିଲ୍ଲୀ ଅଣନିଃଶ୍ବାସୀ

ସର୍ବାଧିକ ବିଷ‌ାକ୍ତ ବାୟୁ ଗ୍ରହଣ କରୁଛନ୍ତି ଶିଶୁ

ନୂଆଦିଲ୍ଲୀ: ସରକାର ଯେତେ ବିକଳ୍ପ ବ୍ୟବସ୍ଥା କଲେ ବି ଦିଲ୍ଲୀ ପ୍ରଦୂଷଣକୁ କମାଇବାରେ ସମର୍ଥ ହେଉନା‌ହାନ୍ତି। ବରଂ ପ୍ରଦୂଷଣ ମାତ୍ରା କମିବା ପରିବର୍ତ୍ତେ ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଲୋକମାନେ ବାହାରକୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଛି। ଫଳରେ ଦିଲ୍ଲୀବାସୀ ଶ୍ବାସକ୍ରିୟାଜନିତ ରୋଗର ଶିକାର ହେଉଛନ୍ତି। ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଆଶଙ୍କା ଆହୁରି ଘନେଇବ ବୋଲି ଡାକ୍ତରମାନେ କହିଛନ୍ତି। ଏମିତି କି ଡାକ୍ତରମାନେ ପ୍ରଦୂଷଣକୁ ‘ମୃତ୍ୟୁଦଣ୍ଡ’ ବୋଲି ଅଭିହିତ କରିଛନ୍ତି। ଶ୍ବାସଜନିତ ରୋଗର ଶିକାର ହେବା ପରେ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଛନ୍ତି ଦିଲ୍ଲୀର ଯୋଗେଶ କୁମାର।

ଏବେ ତାଙ୍କୁ ଘରକୁ ନେଇଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କିନ୍ତୁ ବାୟୁମଣ୍ଡଳର ପ୍ରଦୂଷଣ ସ୍ଥିତିକୁ ଦେଖିଲେ ତାଙ୍କ ପରିବାର ଲୋକ ଆଶଙ୍କିତ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତି‌ରେ ଯୋଗେଶ ପ୍ରଦୂଷଣରୁ କିଭଳି ରକ୍ଷା ପାଇବେ ବୋଲି ପରିବାର ଲୋକଙ୍କୁ ଚିନ୍ତା‌ ଘାରିଛି। ଯୋଗେଶଙ୍କ ଚିକିତ୍ସା କରିଥିବା ଡାକ୍ତର ଶ୍ରୀନିବାସ କେ ଗୋପୀନାଥ କହିଛନ୍ତି, ହସ୍ପିଟାଲ୍‌ ମଧ୍ୟରେ ବାତାବରଣ ସ୍ବା‌ସ୍ଥ୍ୟକର ରହିଛି। ଏଠାରେ ଯୋଗେଶଙ୍କର କୌଣସି ଅସୁବିଧା ହେବନାହିଁ। କିନ୍ତୁ ବାହାରକୁ ବାହାରିବା ପରେ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଯୋଗୁ ତାଙ୍କ ଅବସ୍ଥା ପୁଣି ଶୋଚନୀୟ ହୋଇପଡ଼ିବ। ଅସ୍ତ୍ରୋପଚାର ପରେ ତାଙ୍କର ପ୍ରତିରୋଧକ କ୍ଷମତା ହ୍ରାସ ପାଇଛି। ତା’ଛଡ଼ା ତାଙ୍କ ନିକଟରେ ଏବେ କେବଳ ଗୋଟିଏ ଫୁସ୍‌ଫୁସ୍‌ ରହିଛି। ତେଣୁ ବାହାରକୁ ଯିବା କ୍ଷଣି ସେ ପୁଣି ରୋଗଗ୍ରସ୍ତ ହୋଇଯିବା ଯଥେଷ୍ଟ ଆଶଙ୍କା ରହିଛି।
ଦିଲ୍ଲୀରେ ଯୋଗେଶ ଏକାକୀ ଏଭଳି ପରିସ୍ଥିତିର ସାମ୍ନା କରୁନାହାନ୍ତି। ଆହୁରି ଅନେକ ଲୋକ ଶ୍ବାସଜନିତ ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡା. ଗୋପୀନାଥ କହିଛନ୍ତି, ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ଥିବା‌ ଲୋକମାନେ ପ୍ରଦୂଷଣକୁ ସାମ୍ନା କରିପାରିବେ ନାହିଁ। ଏହା ମୃତ୍ୟୁଦଣ୍ଡ ସଦୃଶ ହୋଇଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲ୍‌ର ସର୍ଜନ୍‌ ଡା. ଗୋପୀନାଥ ୨୯ ବର୍ଷୀୟ ଯୋଗେଶଙ୍କ ଅସ୍ତ୍ରୋପଚାର କରିଛନ୍ତି। କିଛିଦିନ ରହି ଚିକିତ୍ସିତ ହେବା ପରେ ‌ସେ ଆରୋଗ୍ୟଲାଭ କରି ଘରକୁ ଫେରିଛନ୍ତି। କିନ୍ତୁ ଡା. ଗୋପୀନାଥ କହିଛନ୍ତି, ଦିଲ୍ଲୀର ପବନ ଏବେ ଯୋଗେଶଙ୍କ ପାଇଁ ବିପଦ ସାଜିବ। ତାଙ୍କୁ ଏହା ମୃତ୍ୟୁ ଆଡ଼କୁ ନେଇଯାଇପାରେ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ ଭାରତରେ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ବିଷ‌ାକ୍ତ ବାୟୁକୁ ପିଲାମାନେ ଶ୍ବାସକ୍ରିୟାରେ ଗ୍ରହଣ କରିବା ଯୋଗୁ ପ୍ରତିବର୍ଷ ବିଶ୍ବରେ ହଜାର ହଜାର ଶିଶୁ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ପିଲାମାନେ ଜୋରରେ ପ୍ରଶ୍ବାସ ନେବା ଫଳରେ ସେମାନେ ଅଧିକ ବିଷ‌ାକ୍ତ ବାୟୁ ଗ୍ରହଣ କରିଥାନ୍ତି।

ସମ୍ବନ୍ଧିତ ଖବର