ସ୍ପାଇସଜେଟ୍‌ ବିମାନରେ ଧୂଆଁ, ଦିଲ୍ଲୀରେ ଜରୁରୀ ଅବତରଣ

ନୂଆଦିଲ୍ଲୀ : ଦିଲ୍ଲୀରୁ ଜବଲପୁର ଅଭିମୁଖେ ଉଡ଼ାଣ କରୁଥିବା ଏକ ସ୍ପାଇସଜେଟ୍‌ ବିମାନର କ୍ୟାବିନ୍‌ ଭିତର ଆଜି ହଠାତ୍‌ ଧୂଆଁମୟ ହୋଇଯିବାରୁ ତାହ‌ାର ଜରୁରୀ ଅବତରଣ କରାଯାଇଛି। ଏସ୍‌ଜି-୨୮୬୨ ବିମାନ ସକାଳ ୬.୧୫ରେ ଦିଲ୍ଲୀ ବିମାନବନ୍ଦର ଛାଡ଼ିଥିଲା। ବିମାନ ପ୍ରାୟ ୫୦୦୦ ଫୁଟ୍‌ ଉଚ୍ଚତାରେ ଉଡ଼ାଣ କରୁଥିବାବେଳେ କ୍ୟାବିନ‌୍‌ରେ ଧୂଆଁ ଚିହ୍ନଟ ହୋଇଥିଲା। ଫଳରେ ପାଇଲଟ୍‌ ବିମାନକୁ ପୁଣିଥରେ ଦିଲ୍ଲୀ ବିମାନବନ୍ଦର ଫେରାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିମାନଟିକୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ କରାଇଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି ବୋଲି ସ୍ପାଇସଜେଟ୍‌ ମୁଖପାତ୍ର କହିଛନ୍ତି। ଦିଲ୍ଲୀରୁ ଜବଲପୁର ଅଭିମୁଖେ ଯାଉଥିବା ଜଣେ ଯାତ୍ରୀ କହିଛନ୍ତି, ବିମାନ ଉଡ଼ାଣ ଆରମ୍ଭ କରିବାପରେ ବିମାନ ମଧ୍ୟରେ ଏକ ଆତଙ୍କ ସ୍ଥିତି ଉପୁଜିଥିଲା। ଯାତ୍ରୀମାନେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତେଣୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ୨ ସପ୍ତାହ ମଧ୍ୟରେ ଏହା ଦ୍ବିତୀୟ ଘଟଣା। ଜୁନ୍‌ ୧୯ରେ ପାଟନାରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ଏକ ବିମାନରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା।

ସମ୍ବନ୍ଧିତ ଖବର