ରଥଟଣା ବେଳେ ବିଦ୍ୟୁତ୍‌ଘାତରେ ଯୁବକ ମୃତ

ମଠ କମିଟି ବିରୋଧରେ ଏତଲା ଦେଲେ ମୃତକଙ୍କ ବାପା

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ରଥଟଣା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଗୁରୁତର ଆହତ ହୋଇ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ କେନ୍ଦୁଝର ସୋଲପଟା ଅଞ୍ଚଳର ଯୁବ ସାମାଜିକ କର୍ମୀ ତଥା ଆଇନଜୀବୀ ହିମାଂଶୁ ଶେଖର ନାୟକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ମୃତ ଓ ଗୁରୁତରଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ଜାତୀୟ ମାନବ ଅଧିକାର କମିଶନ୍‌ଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ମୃତ ଅନୀଲ ସାହୁଙ୍କ ବାପା ନିଶାକର ସାହୁ ବସ୍ତା ଥାନାରେ ଏତଲା ଦେଇଛନ୍ତି। ମଠ କମିଟିର ଦାୟିତ୍ବହୀନତା ପାଇଁ ମୋ ପୁଅର ଜୀବନ ଚାଲିଗଲା ବୋଲି ଅଭିଯୋଗ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ବସ୍ତା ଥାନା ଗୁଡ଼ିଖାଳ ମଠ କମିଟି ତତ୍ତ୍ବାବଧାନରେ ଗତକାଲି ରଥଟଣା ଯିବା ସମୟରେ ରାସ୍ତା ଉପରେ ଥିବା ୧୧ କେଭି ବିଦ୍ୟୁତ ତାର ରଥରେ ଲାଗି ଯାଇଥିଲା। ଲୁହାପାତ ଲାଗିଥିବାରୁ ରଥରେ କରେଣ୍ଟ ଚାର୍ଜ ହୋଇ ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ୍‌ ଝଟ୍‌କା ଲାଗିଥିଲା। ଏଥିରେ ଆଗରଡ଼ା ଗ୍ରାମର ଅନୀଲ ସାହୁ (୩୩)ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ମୃତକଙ୍କ ପରିବାରକୁ ୩୦ ଲକ୍ଷ, ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା ଲେଖା କ୍ଷତିପୂରଣ ଓ ଅର୍ଥ ପ୍ରଦାନର ସମସ୍ତ ପ୍ରମାଣପତ୍ର ତିନି ସପ୍ତାହ ଭିତରେ ଦାଖଲ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ନାୟକ କମିଶନଙ୍କୁ ଅନୁରୋଧ କରିଛନ୍ତି।

ଏଥିସହିତ ବାଲେଶ୍ବର ଜିଲ୍ଲାପାଳ ଓ ଶକ୍ତି ବିଭାଗ ସଚିବ ୪ ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବା, ଏସ୍‌ପି ନିଜ ଆଡୁ ଏକ ମାମଲା ରୁଜୁ କରି ଏହାର ତଦନ୍ତ ରିପୋର୍ଟ ତିନି ସପ୍ତାହ ମଧ୍ୟରେ କମିଶନଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି। ପ୍ରକାଶଥାଉକି, ବିଗତ ବର୍ଷମାନଙ୍କରେ ଗୁଡ଼ିଖାଳ ରଥଯାତ୍ରା ଉତ୍ସବ ସମୟରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ଏ ବର୍ଷ କାହିଁକି ତାର ବ୍ୟତିକ୍ରମ ହେଲା, ଏଥିପାଇଁ ଦାୟୀ କିଏ; ସେ ବିଷୟକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର