ପ୍ରଥମଥର ପାଇଁ ରୋଡ ସୋ’‌ରେ ସାମିଲ ହୋଇ ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ: ଲୋକଙ୍କୁ କଲେ ଏଭଳି ଅନୁରୋଧ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ‌ରେ ଗତଶନିବାର ଆମ ଆଦମୀ ପାର୍ଟି ରୋଡ ସୋ’ କରିଥିଲା। ଚଳିତଥର ଏହି ରୋଡ ସୋ’ର ସ୍ବତନ୍ତ୍ରତା ହେଉଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଧର୍ମପତ୍ନୀ ସୁନୀତା କେଜ୍ରିୱାଲ ସାମିଲ ହୋଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ପୂର୍ବଦିଲ୍ଲୀ କଲ୍ୟାଣପୁରୀ ରାସ୍ତାରେ ଆମ ଆଦମୀ ପାର୍ଟି ଶୋଭାଯାତ୍ରାରେ ଆପର ମନ୍ତ୍ରୀ, ବିଧାୟକ ଓ କର୍ମକର୍ତ୍ତାମା‌ନେ ସାମିଲ ହୋଇଥିଲେ। ଏହି ପ୍ରଚାର ସମୟରେ ସୁନୀତା କେଜ୍ରିୱାଲ ସାମିଲ ହୋଇ ଲୋକଙ୍କ ଅଭିବ‌ାଦନ ସ୍ବୀକାର  କରିଥିଲେ।  ଅରବିନ୍ଦ କେଜ୍ରିୱାଲ ଗିରଫ ହେବାପରେ  ଦିଲ୍ଲୀରେ ସୁନୀତା କେଜ୍ରିୱାଲଙ୍କ ଏହା ପ୍ରଥମ ରାଜନୈତିକ ଅଭିଯାନ ରହିଛି।

ସମ୍ପୂର୍ଣ୍ଣ ରୋଡ ସୋ’ରେ କେଜ୍ରିୱାଲଙ୍କ ସମର୍ଥକମାନେ ‘ଜେଲର ଉତ୍ତର ଭୋଟରେ….’, ‘ଆମେ ସମସ୍ତେ କେଜ୍ରିୱାଲଙ୍କୁ ମନେ ପକାଉଛୁ’, ‘କେଜ୍ରିୱାଲ ମୁଁ ତୁମକୁ ଭଲ ପାଏ’ ପୋଷ୍ଟର ଧରି ସମର୍ଥକମାନେ ସ‌ାମିଲ ହୋଇଥିଲେ। ଏହି ରୋଡ ସୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଭାବବିହ୍ବଳ ହୋଇଯାଇଥି‌ଲେ।

ଏଥିସହିତ ଭାବୁକ କଣ୍ଠରେ ଲୋକଙ୍କୁ ଅନୁରୋଧ କରି କହିଥି‌ଲେ, ‘ସମସ୍ତଙ୍କୁ ମୋର ନମସ୍କାର-ପ୍ରଣାମ,ଆପଣଙ୍କ ମୁଖ୍ୟମନ୍ତ୍ରୀ ତଥା ମୋର ସ୍ବାମୀଙ୍କୁ ଜବରଦସ୍ତି ଜେଲରେ ପୁରାଇ ଦିଆଯାଇଛି। କୋର୍ଟ କେଜ୍ରିୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ମୋ‌ତେ ଖୁବ ଆଘାତ ଦେଇଛି।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯାଞ୍ଚ ୧୦ବର୍ଷ ଚାଲିବ। ଅର୍ଥାତ ୧୦ବର୍ଷ ଜେଲରେ ରହିବେ। ଏହା ନୂଆ ନିୟମ ବାହାରିଛି ଯାଞ୍ଚ ଚାଲିବା ପର୍ଯ୍ୟନ୍ତ ଜେଲରେ ରହିବାକୁ ହେବ। ଅରବିନ୍ଦଙ୍କୁ ୨୨ବର୍ଷ ହେବ ସୁଗାର ରହିଛି। ୧୨ହେବ ଇନସୁଲିନ ନେଉଛନ୍ତି। ଇନସୁଲିନ ନନେଲେ କିଡନି,ଲିଭର ସବୁ ଖରାପ ହୋଇଯିବ। କ’ଣ ସେମାନେ କେଜ୍ରିୱାଲଙ୍କୁ ମାରି ଦେବାକୁ ଚାହୁଁଛନ୍ତି କି?

ମ‌ୋର ଆପଣମାନଙ୍କୁ ଅନୁରୋଧ  ମଇ ୨୫ ତାରିଖରେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦିଅନ୍ତୁ। ଆମେ ନିଶ୍ଚୟ ଏହି ଯୁଦ୍ଧରେ ଲଢ଼ିବା ଓ ବିଜୟୀ ହେବା । ଜେଲର ଉତ୍ତର ଭୋଟରେ ଦେବା।’

 

ସମ୍ବନ୍ଧିତ ଖବର