ସାତ ଦିନ ମଧ୍ୟରେ ସାଧାରଣ ଗମନାଗମନ ନୀତି ସ୍ଥିର କରିବାକୁ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣାକୁ ଆଦେଶ ଦେଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଅଞ୍ଚଳରେ ଅନ୍ତଃ-ରାଜ୍ୟ ଗମନାଗମନ ପାଇଁ ସାତ ଦିନ ମଧ୍ୟରେ ସାଧାରଣ ପାସ୍ ନିମ‌େନ୍ତେ ନୀତି ସ୍ଥିର କରି କରିବାକୁ ଗୁରୁବାର ଦିନ ସୁପ୍ରିମ୍ କୋର୍ଟ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ରାଜ୍ୟମାନଙ୍କର ପ୍ରତିନିଧିମାନଙ୍କୁ ଡକାଇ ବୈଠକ ମାଧ୍ୟମରେ ଏକ ସାଧାରଣ ପାସ୍ ବ୍ୟବସ୍ଥା ନିମନ୍ତେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ କହିଛନ୍ତି।

ଆନ୍ତଃରାଜ୍ୟ ଗମନାଗମନ ଉପରେ କଟକଣା ଜାରି ହେବାରୁ ନଇଡ଼ା ଏବଂ ଗୁରୁଗ୍ରାମ ସମେତ ଜାତୀୟ ରାଜଧାନୀ ଅଞ୍ଚଳରେ ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଅଦାଲତଙ୍କ ନିର୍ଦେଶକୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବାକୁ ଜଷ୍ଟିସ୍ ଅଶୋକ ଭୂଷଣ, ସଞ୍ଜୟ କିଷନ୍ କୌଲ୍ ଏବଂ ଏମ୍‌ଆର୍ ଶାହାଙ୍କ ତିନିଜଣିଆ ଖଣ୍ଡପୀଠ ସଲିସିଟର୍ ଜେନେରାଲ୍ ତୁଷାର ମେହେଟାଙ୍କୁ ନିର୍ଦେଶ ଦେଇଛନ୍ତି।

Image Courtesy of NDTV

କଟକଣା ଯୋଗୁଁ ଆନ୍ତଃରାଜ୍ୟ ଗମନାଗମନରେ ହଜାର ହଜାର ଲୋକ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ବନ୍ଧୀୟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିବା ବେଳେ ସୁପ୍ରିମ୍ କୋର୍ଟ ଏହି ଆଦେଶ ଦେଇଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦୁଇ ସପ୍ତାହ ନିମନ୍ତେ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯାଇଥିବା କଥା ଜୁନ୍ ୧ ତାରିଖ ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଥିଲେ। ପୂର୍ବରୁ ଉତ୍ତର ପ୍ରଦେଶ ଏବଂ ହରିୟାଣା ମଧ୍ୟ ଦିଲ୍ଲୀରୁ ଗୁରୁଗ୍ରାମ, ନଇଡ଼ା, ଗାଜିଆବାଦ ଏବଂ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକମାନଙ୍କ ଗମନାଗମନ ଉପରେ କଟକଣା ଲାଗୁ କରିଥିଲେ।

ସମ୍ବନ୍ଧିତ ଖବର